• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ ।

ହୁ ହୁ ହୋଇ ବଢୁଛି ବସ ଭଡ଼ା । ଗତକାଲି ରାଜ୍ୟ ସରକାର ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ଏବଂ ଏସି ଓ ଡିଲକ୍ସ ବସ୍ ଭଡ଼ା ୬ ପଇସା ବଢ଼ାଇଛନ୍ତି । ଯାହାକି ଖୁବ୍ ବାଧୁଛି ବୋଲି କହିଛନ୍ତି ଯାତ୍ରୀ । ଏଣେ ବସ୍ ମାଲିକ ସଂଘର ସଦସ୍ୟ ପ୍ରିୟବ୍ରତ ତ୍ରିପାଠୀ କହିଛନ୍ତି ଯେ, ସରକାର ଯଦି ପେଟ୍ରୋଲ, ଡିଜେଲରୁ ଟିକସ କମାଇବେ, ବସ୍ ଭଡ଼ା ଆପେ କମିଯିବ ।

ଖାଲି ବସ୍ ଯାତ୍ରୀ ନୁହଁନ୍ତି ବରଂ ଗମନାଗମନର ଅନ୍ୟତମ ଲାଇଫଲାଇନ୍ ଅଟୋ ମାଲିକ ବି ଯାତ୍ରୀଙ୍କ ଉପରେ କଷୁଛନ୍ତି ମନଇଛା ଭଡ଼ା । ଏମିତିକି ରାଜଧାନୀରେ ଯାତ୍ରୀଟିଏ ୨ କିଲୋମିଟର ଯିବାକୁ ଥିଲେ ୨୦ ଟଙ୍କାରୁ ଅଧିକ ଭଡ଼ା ଦେବାକୁ ପଡୁଛି । ଅଟୋ ମାଲିକ କହୁଛନ୍ତି-ଅହେତୁକ ତେଲ ଦର ବୃଦ୍ଧି ଯୋଗୁଁ ଆମେ ଭଡ଼ା ବଢ଼ାଇବାକୁ ବାଧ୍ୟ ।

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସୂଚନା ଅନୁସାରେ, ଏବେ ବିଶୋଧନାଗାରରୁ ବାହାରୁଥିବା ପେଟ୍ରୋଲର ଦାମ୍ ଲିଟର ପିଛା ୪୫ ଟଙ୍କା ୪୪ ପଇସା ରହିଛି । କିନ୍ତୁ ଯାହା ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କଷୁଥିବା ବେଳେ ଓଡ଼ିଶା ସରକାର ୨୫ ଟଙ୍କା ୪ ପଇସା ଭାଟ୍ ଲଦୁଛନ୍ତି । ସେହିପରି ଡିଜେଲର ମୂଳ ମୂଲ୍ୟ ୪୭ ଟଙ୍କା ୧୭ ପଇସା ଥିଲା ବେଳେ ଏହା ଉପରେ ଲଦାଯାଉଛି ୩୧ ଟଙ୍କା ୮୦ ପଇସାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ୨୨ ଟଙ୍କା ୭ ପଇସାର ଭାଟ୍ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଭାଗରୁ ଟିକସ କମିଲେ ତେଲ ଦର ଆପେ ଆପେ କମିଯିବ ବୋଲି ଆଶା କରାଯାଉଛି । ଏସବୁ ଭିତରେ ମାଲକାନଗିରିରେ ଆଜି ପେଟ୍ରୋଲ୍ ଲିଟର ୧୧୨ ଟଙ୍କା ୩୬ ପଇସା ଓ ଡିଜେଲ ୧୦୯ ଟଙ୍କା ୫୦ ପଇସାରେ ପହଞ୍ଚିଛି ।