• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଜୀବନ ଜୀବିକାର ଲଢେଇ ।

  • ଗୋଟିଏ ପଟେ ପାର୍ବଣରେ ବେପାର ଆଶା, ଅନ୍ୟପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା ।

  • ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ । 

ଭୁବନେଶ୍ୱର: ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ । କାହିଁକି ନା ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ କଟକଣା ଲାଗୁ ହେବା ପରେ ଉଠିଲାଣି ବିରୋଧର ସ୍ୱର । ନିଷ୍ପତ୍ତିକୁ ଆଉ ଥରେ ବିଚାର କରିବାକୁ ଦାବି ହୋଇଛି । କିଛି ମାତ୍ରାରେ କୋହଳ କରିବାକୁ ନିବେଦନ କରିଛନ୍ତି । 

କୋଭିଡ୍ କଟକଣା ବିରୋଧରେ ତେଜୁଛି ବିରୋଧାଭାସ । ପେଟ ପାଟଣା ପ୍ରଭାବିତ ହେଉଥିବାରୁ ରାଜ୍ୟବ୍ୟାପୀ କୁହୁଳିଲାଣି ଅସନ୍ତୋଷ । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ, ନାରାବାଜି ସାଙ୍ଗକୁ ଗଣବିକ୍ଷୋଭ କରିଛନ୍ତି ଅସନ୍ତୁଷ୍ଟ । ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ଭଳି ସାମାଜିକ କାର୍ଯ୍ୟକ୍ରମରେ ବିଏମ୍‌ସି ୫୦ ଜଣଙ୍କୁ ହିଁ ଅନୁମତି ଦେଇଥିବାରୁ ଭୁବନେଶ୍ୱର ଲାଇଟ୍, ସାଉଣ୍ଡ, ଫ୍ଲାୱାର ଓ କ୍ୟାଟରିଂ ଆସୋସିଏସନ୍‌ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି ।

ସେମାନଙ୍କ କହିବା କଥା, ନିର୍ବାଚନ ବେଳେ ସବୁ କଟକଣା ଉଭେଇ ଯାଉଛି । କିନ୍ତୁ ନିର୍ବାଚନ ସରିଗଲେ ଆମ ଉପରେ ଲଦି ଦିଆଯାଉଛି କଟକଣାର ବୋଝ ।ଏମିତି ହେଲେ ସେମାନେ କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି । ସେହପରି ବ୍ରହ୍ମପୁର ଉତ୍କଳ ବ୍ୟାଣ୍ଡ ପାର୍ଟିର ସଦସ୍ୟଙ୍କ ଦୁଃଖ, କଟକଣା ଯୋଗୁଁ ଏବେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ବ୍ୟାଣ୍ଡ ପାର୍ଟି ସଦସ୍ୟମାନେ । ଏକ ହିସାବ ଅନୁସାରେ କ୍ୟାଟରିଂ, ଲାଇଟ୍, ସାଉଣ୍ଡ, ଟେଣ୍ଟ ହାଉସ୍ ଶିଳ୍ପ ସହ ଲକ୍ଷାଧିକ ପରିବାର ଜଡ଼ିତ ଥିବା ବେଳେ କେବଳ ଭୁବନେଶ୍ୱରରେ ସଂଖ୍ୟା ୫ ହଜାର ଉପରେ ହେବ ।

ସ୍ୱାସ୍ଥ୍ୟ ବିଭାଗର କହିବା କଥା, ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ । ଆଗ ଜୀବନ ପରେ ପାର୍ବଣ, ମେଳା, ମହୋତ୍ସବ । ଯଦିଓ ରାଜ୍ୟରେ ଏବେ କରୋନା ସ୍ଥିତି ସ୍ଥିର ଅଛି ଏବଂ ସେରୋ ସର୍ଭେ ଅନୁସାରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ତଥାପି ଆସନ୍ତା ୩ ମାସ ସତର୍କ ରହିବାକୁ ହେବ । ରାଜଧାନୀରେ ପଜିଟିଭ୍ ହାର ଅଧିକ ଥିବାରୁ ବିଏମ୍‌ସିର କଟକଣା ଯଥାର୍ଥ । ସଂକ୍ରମଣକୁ ନିୟନ୍ତ୍ରଣ ରଖିବାକୁ କଟକଣା ହିଁ ଗୋଟିଏ ମାତ୍ର ବାଟ ବୋଲି ଦୃଢ ଯୁକ୍ତି କରିଛି ସ୍ୱାସ୍ଥ୍ୟ ବିଭାଗ । ଆଉ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ଏବଂ ମୁନିସିପାଲିଟି କମିଶନରମାନଙ୍କୁ କ୍ଷମତା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।