• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆବଶ୍ୟକ ପରିମାଣରୁ କମ ବର୍ଷା ।

  • ପ୍ରଭାବିତ ହୋଇଛି ଚାଷୀକୁଳ ।

  • ପାଣି ଅଭାବରୁ ଜମି ଫାଟି ଆଁ କରିଛି । 

ଭୁବନେଶ୍ୱର: ଚଳିତବର୍ଷ ଆବଶ୍ୟକ ପରିମାଣରୁ କମ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଛି ଚାଷୀକୁଳ । ଜୁନ୍ ମାସରେ ସ୍ୱାଭାବିକ ବର୍ଷା ହୋଇଥିବାରୁ ଚାଷୀକୁଳ ଧାନ ଚାଷ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରି ଚାଷ କାମ ଆରମ୍ଭ କରିଥିଲେ । ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାମ ପଛେଇ ଯିବା ସହ ଏବେ ବଢିଛି ଚିନ୍ତା । ପାଣି ଅଭାବରୁ ଜମି ଫାଟି ଆଁ କରିଛି । ରୁଆ ଓ ବୁଣା ଧାନ ମରିବାକୁ ବସିଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଚାଷୀ ।

ଆଜି ସୁଦ୍ଧା ଯେତିକି ବର୍ଷା ହେବା କଥା, ସେତିକି ବର୍ଷା ହୋଇ ନାହିଁ । ତେଣୁ ପ୍ରଭାବିତ ହୋଇଛି ଖରିଫ ଚାଷ । ସରି ନାହିଁ ରୁଆ ବେଉଷଣ । ରାଜ୍ୟର ବହୁ ଅଞ୍ଚଳରେ ଏହି ସମସ୍ୟା । ଚାଷୀଙ୍କ ମନରେ ଡର ଆସିଲାଣି, ମରୁଡ଼ି ହେବ ନାହିଁ ତ । 

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ । କିନ୍ତୁ ଚଳିତ ବର୍ଷ ୪ଟି ଲୋ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏବେ ବି ବର୍ଷା ହେବାର ସମୟ ଅଛି । ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦେଉଛନ୍ତି । ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାର୍ଡି କହିଛନ୍ତି ।