• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଅଭାବ ଅନଟନ ଆଗରେ ଇଚ୍ଛାଶକ୍ତିର ଜିତ୍

  • ଡାକ୍ତର ହେବାକୁ ଯାଉଛନ୍ତି ରିକ୍ସା ଚାଳକ ଓ ବିଡି ଶ୍ରମିକଙ୍କ ପୁଅ

ଭୁବନେଶ୍ୱର: ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭାଙ୍କ କଥା ଏବେ ବେଶ ଚର୍ଚ୍ଚା ଧରିଛି । ଜଣେ ରିକ୍ସା ଚାଳକଙ୍କ ପୁଅ ତ ଆଉ ଜଣେ ବିଡ଼ି ଶ୍ରମିକଙ୍କର ପୁଅ । ତେବେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଅସୁବିଧା, ଅଭାବ ଓ ଅନଟନ ।

ଅସୁବିଧା ତ ବହୁତ ଥିଲା ଦୁହିଁଙ୍କର ହେଲେ ଇଚ୍ଛା ବି କମ୍ ନଥିଲା । ମୁଣ୍ଡ ଗୁଞ୍ଜିବାକୁ ନୂଆଣିଆ ଘର ଓ ବାପା ଜଣେ ନାମମାତ୍ର ଚାଷୀ, ମା ବିଡ଼ି ତିଆରି କରି ସପ୍ତାହକୁ ପାଆନ୍ତି ମାତ୍ର ୫୦/୬୦ ଟଙ୍କା । ଏଭଳି ଦାରିଦ୍ର୍ୟର କିଟିକିଟି ଅନ୍ଧାର ଭିତରେ ମାଟ୍ରିକ୍ ବେଳୁ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିଲେ ସମ୍ବଲପୁର ହୁମା କନବାର ଗାଁର ସୀତାରାମ ବାରିକଙ୍କ ପୁଅ ଦେବାଶିଷ ବାରିକ । ଆଉ ତାଙ୍କର ଏହି ସ୍ୱପ୍ନ ଏବେ ସତ ପାଲଟିଛି । ନିଟ୍ ପରୀକ୍ଷାରେ ମୋଟ୍ ୭୨୦ରୁ ୬୩୯ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୬ ହଜାର ୨୦୩ ରାଙ୍କ୍ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ।

ଗରିବୀ ସହିତ ଦୁର୍ଯୋଗ ବି ବାଧକ ସାଜିଥିଲା ଦେବାଶିଷଙ୍କର । ତେବେ ସ୍ୱପ୍ନପୂର୍ତ୍ତିର ଯାତ୍ରାରେ ବାପାଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗିଯିବାରୁ, ମାଟ୍ରିକ୍‌ରୁ ହିଁ ତାଙ୍କ ପାଠପଢ଼ା ବନ୍ଦ ହେବାକୁ ଯାଉଥିଲା । ହେଲେ ତାଙ୍କ ପ୍ରତିଭା ଦେଖି ଆର୍ଥିକ ସାହାଯ୍ୟ କରି ଚାଲିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ । ସେବେଠୁ ସବୁକିଛି ପ୍ରାୟ ଠିକ୍‌ଠାକ୍ ଚାଲିଥିବା ବେଳେ, ପୁଣି କରୋନାରେ କୋଚିଂ ସେଣ୍ଟର ଅଧାରୁ ବନ୍ଦ ହୋଇଗଲା । ଫଳରେ ପ୍ରଥମ ପ୍ରୟାସରେ ସଫଳତାରୁ ଅଳ୍ପକେ ବଞ୍ଚିତ ହେଲେ ଦେବାଶିଷ । ହେଲେ ନିରାଶ ନହୋଇ ଘରେ ମୋବାଇଲରେ ୟୁଟ୍ୟୁବ ଓ ଅନ୍ୟ କିଛି ଆପ୍‌ରୁ ପାଠ ପଢ଼ି ଦ୍ୱିତୀୟ ଥର ପରୀକ୍ଷା ଦେଲେ ଏବଂ କୃତକାଯର୍ୟ ମଧ୍ୟ ହେଲେ ।

 

ପରିସ୍ଥିତି ସହ ଲଢ଼ି ସ୍ୱପ୍ନ ପୂରଣ କରିଥିବା ଆଉ ଜଣେ ଯୋଦ୍ଧା ହେଉଛନ୍ତି ମୁର୍ସିଦ ଖାନ୍ । ଡାକ୍ତର ହେବାକୁ ଯାଉଛନ୍ତି ଭଦ୍ରକ ପୁରୁଣା ବଜାର କାଜି ମହଲାର ଏହି ଟ୍ରଲିରିକ୍ସା ଚାଳକଙ୍କ ପୁଅ ମୁର୍ସିଦ୍ ଖାନ୍ । ମୁର୍ସିଦଙ୍କ ବାପା ମୈରାଜ ଖାନ୍‌ଙ୍କ ୨୦୦୭ ରେ ଦୁର୍ଘଟଣାଗ୍ରସ୍ତ ହେବାରୁ, ୮ ପ୍ରାଣୀ କୁଟୁମ୍ବର ପେଟ ପୋଷିବାକୁ ତାଙ୍କ ଭାଇ ଟ୍ରଲି ଟାଣିବା ଆରମ୍ଭ କରିଥିଲେ । ହେଲେ ଭାଇର ପାଠପଢ଼ା ଓ କୋଚିଂ ବ୍ୟବସ୍ଥା କରିବା କାଠିକର ପାଠ ହୋଇ ପଡିଥିଲା । ଯୁକ୍ତ ୨ ପରେ ମୁର୍ସିଦ୍ ଲଗାତର ୩ଥର ପ୍ରବେଶିକା ପରୀକ୍ଷା ଦେଇଥିଲେ ବି ସଫଳ ହୋଇପାରିନଥିଲେ । ଏଭଳି ସ୍ଥିତିରେ ଜିନ୍ଦେଗୀ ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ତାଙ୍କ ପାଇଁ ମାଗଣା କୋଚିଂ ବ୍ୟବସ୍ଥା କରାଇବାରୁ, ମୁର୍ସିଦ ଚତୁର୍ଥ ପ୍ରୟାସରେ ନିଟ୍ ଅଲ୍ ଇଣ୍ଡିଆ ରାଙ୍କ୍ ୧୫ ହଜାର ୨୩୯ ହାସଲ କରିଥିଲେ ।

ରିପୋର୍ଟର- ସଞ୍ଜୟ ଜେନା, ପାର୍ଥସାରଥି ନାୟକ