• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ, ସୁନ୍ଦରଗଡ଼ (ଦୀପକ ମହାନ୍ତ ଏବଂ ବିଜୟ ବରୁଆ) : ଚାଷ ଅମଳ ସମୟରେ ସୀମାନ୍ତ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ବଢ଼ାଉଛନ୍ତି ହାତୀ ପଲ । କେଉଁଠି କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ପୁଣି କେଉଁଠି ଜନବସତି ମୁହାଁ ହୋଇ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର କରୁଛନ୍ତି । ଗତ ମାସକ ମଧ୍ୟରେ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସୁନ୍ଦରଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ବର୍ଷସାରାର ମେହନତକୁ ଦଳି ଚକଟି ନାହିଁନଥିବା ଅବସ୍ଥା କରୁଛନ୍ତି ହାତୀପଲ । ଯେତିକି ଖାଉଛନ୍ତି, ତାଠୁ ଅଧିକ ନଷ୍ଟ କରି ପକାନ୍ତି । ଛନଛନିଆ ଫସଲକୁ ହାତୀ କବଳରୁ ବଂଚାଇ ପାରୁନି ଚାଷୀ । ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି । ଚମ୍ପୁଆରୁ ଆସିଥିବା ୨୫ ଟିକିଆ ହାତୀପଲ । ଏମାନଙ୍କୁ ଘଉଡାଇବାକୁ ବନବିଭାଗ ସେଭଳି ପଦକ୍ଷେପ ନେଉନଥିବାରୁ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ କରଞ୍ଜିଆ ବନଖଣ୍ଡ ଅଧିକାରୀ କହିଛନ୍ତି, ବନବିଭାଗ ପକ୍ଷରୁ ହାତୀଙ୍କ ଉପରେ ନଜର ରଖାଯିବା ସହ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

ସେହିପରି ହାତୀ ଉତ୍ପାତରେ କଲବଲ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଂଜର ବଡବାହାଲ ଏବଂ କଇଁସରା ଅଂଚଳ । ଦୁଇଟି ହାତୀପଲ ନିକଟରେ ଥିବା ଜଙ୍ଗଲରେ ଦିନ ତମାମ ରହୁଥିବାବେଳେ ରାତି ହେଲେ ଗାଁ ମୁହାଁ ହେଉଥିବା ଲୋକେ କହିଛନ୍ତି । ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବାବେଳେ ହାତୀକୁ ଯେତେ ଘଉଡାଇଲେବି ସେମାନେ ଜାଗା ଛାଡି ଯାଉନାହାନ୍ତି । ଏନେଇ ଡିଏଫଓ ବା ରେଂଜ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।