• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: କୁଆଡେ ଗଲେ ଲୋକସେବା ଭବନ, ସଂସ୍କୃତି ବିଭାଗର ଡେସ୍କ ଅଫିସର ସନ୍ତୋଷ କୁମାର ଦଳବେହେରା ? ମାସେ ହେଲାଣି ତାଙ୍କର କୌଣସି ପତ୍ତା ମିଳୁନି। ସ୍ୱାମୀଙ୍କୁ ପୁରା ରାଜଧାନୀ ଭୁବନେଶ୍ୱରରେ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସନ୍ତୋଷଙ୍କ ପତ୍ନୀ। ଉପରିସ୍ଥ ଅଧିକାରୀଙ୍କ ଅତ୍ୟଧିକ କାମ ଚାପରେ ସେ କୁଆଡ଼େ ପଳାଇଯାଇଥିବା କିମ୍ବା ତାଙ୍କୁ ଅପହରଣ କରାଯାଇଥିବା ପତ୍ନୀ ମଞ୍ଜୁଲତା ଅଭିଯୋଗ କରିଛନ୍ତି। ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ ହୋଇଛି।

ସନ୍ତୋଷଙ୍କ ପତ୍ନୀ କହିଛନ୍ତି, ‘ଜୁନ୍‌ ୨୬ ତାରିଖ ଶନିବାର ଦିନ ମୁଁ ତାଙ୍କ ସହ ଶେଷଥର ପାଇଁ କଥା ହୋଇଥିଲି। ତା’ପରଠୁ ତାଙ୍କ ମୋବାଇଲ୍‌ ଆଉ ଲାଗୁ ନାହିଁ। ଅଫିସ୍‌ କାମକୁ ନେଇ ସେସବୁବେଳେ ଚିନ୍ତାରେ ରହୁଥିଲେ। ଅଫିସରେ ସବୁବେଳେ ଅଧିକ କାମ ଦିଆଯାଉଛି ବୋଲି ସେ କହୁଥିଲେ। ଏତେ କାମ କେମତି କରିବି ? ଏତେ କାମ କରିପାରୁ ନାହିଁ। କାମ ନକଲେ ଗାଳି କରୁଛନ୍ତି ବୋଲି ସେ କହୁଥିଲେ। ଚିନ୍ତା କରି ସେ କୁଆଡ଼େ ପଳାଇଥିବେ ନ ହେଲେ ଆଉ କିଛି ଘଟିଥାଇପାରେ।’

ସେହିପରି ସନ୍ତୋଷଙ୍କ ଜଣେ ଅଫିସ ସହଯୋଗୀ କହିଛନ୍ତି, ‘ସେ ମୋ ଡିପାର୍ଟମେଣ୍ଟର ନୁହଁନ୍ତି। ଖାଇବାକୁ ଯିବାବେଳେ ତାଙ୍କ ସହ ମୋର ଦେଖା ହୁଏ। ସେତେବେଳେ ସେ କହୁଥିଲେ, ଅଫିସରେ ବେଶୀ କାମ ପ୍ରେସର ହେଉଛି। ଏପରିକି ଡାକିକି ଗାଳି ମଧ୍ୟ କରୁଛନ୍ତି ବୋଲି ସେ କହିଥିଲେ’।

ଥାନାରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇବ-ଟି ସଚିବଙ୍କୁ ମଧ୍ୟ ଅପିଲ କରିଛନ୍ତି ନିଖୋଜ ସନ୍ତୋଷଙ୍କ ପତ୍ନୀ।ସେପଟେ ମଞ୍ଜୁଲତାଙ୍କ ଅଭିଯୋଗ ନେଇ ସଚିବାଳୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।