• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନୁଗୋଳ(ବିରଜା ପ୍ରସାଦ ଦାଶ) : ଶିଳ୍ପ ସମୃଦ୍ଧ ଜିଲ୍ଳା ଭାବେ ଓଡିଶା ତଥା ରାଜ୍ୟ ବାହାରେ ବେଶ ଜଣାଶୁଣା ଅନୁଗୋଳ । ଏଠାରେ ରାଷ୍ଟ୍ରାୟତ ଉଦ୍ୟୋଗ NALCO , MCL ଭଳି କମ୍ପାନୀ ଥିବାବେଳେ ଗଢିଉଠିଛି ବହୁ ବେସରକାରୀ ଶିଳ୍ପାନୁଷ୍ଠାନ । ଜିଲ୍ଳାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାବେଳେ ସେହି ଅନୁପାତରେ ବଢିଚାଲୁଛି ଟ୍ରକର ସଂଖ୍ୟା । ସଡ଼କ ପଥରେ କୋଇଲା ପରିବହନ ସହ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ଟ୍ରକଗୁଡିକର ବ୍ୟବହାର ହୋଇଥାଏ ।

ବର୍ତ୍ତମାନ ଜିଲ୍ଲାରେ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରକ ଚଳାଚଳ କରୁଥିବାବେଳେ ଏତେ ସଂଖ୍ୟକ ଟ୍ରକ ପାର୍କିଂ ପାଇଁ ଆଜି ପର୍ଯ୍ୟନ୍ତ ଟ୍ରକ ଟର୍ମିନାଲର ନିର୍ମାଣ ହୋଇପାରିନାହିଁ । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଟ୍ରକସବୁ ବିଭିନ୍ନ ସାମଗ୍ରୀ ସହ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ପରିବହନ ନିମନ୍ତେ ଦୈନଦିନ ଏଠାରେ ଚଳାଚଳ କରିଥାନ୍ତି । ଦୀର୍ଘବର୍ଷ ପୂର୍ବେ ଟ୍ରକ ଟର୍ମିନାଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ତଥା MCL କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜିଲ୍ଳା ପ୍ରଶାସନ । ହେଲେ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ନିର୍ମାଣ କାର୍ଯ୍ୟ ।

ଟ୍ରକ ପାର୍କିଂ ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ନ ହେବାକୁ ନେଇ ସାଧାରଣ ଜନତା ଓ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ନିମନ୍ତେ ବିଗତ ଦିନରେ ତାମଡ଼ା (Tamda-ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ) ଉଦ୍ୟମ କରିବା ସହ ଅନୁଗୋଳ, ତାଳଚେର ସହର ସମେତ ଆଖପାଖ ଅଞ୍ଚଳରେ ୪ଟି ଟର୍ମିନାଲ ନିର୍ମାଣ ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା । ଗୋଟିଏ ପଟେ ପ୍ରତ୍ୟହ ଟ୍ରକ ଚଳାଚଳ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅପର ପକ୍ଷେ ଟର୍ମିନାଲ ନିର୍ମାଣ ନହେବାରୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଟ୍ରାଫିକ ସମସ୍ୟା ଯୋଗୁଁ ସାଧାରଣରେ ପ୍ରକାଶ ପାଉଛି ଅସନ୍ତୋଷ ।

ଟ୍ରକ ଗୁଡ଼ିକ ଜାତୀୟ ରାଜପଥର ପାର୍ଶ୍ଵରେ, ଜନଗହଳିପୂର୍ଣ ଛକରେ ପାର୍କିଂ କରାଯାଉଛି ।   ଦୁର୍ଘଟଣା ସହ ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ଏବେ ଟ୍ରକ ଟର୍ମିନାଲ ନିର୍ମାଣ ନିମନ୍ତେ ଦାବି ଜୋର ଧରିଛି । ଟ୍ରକ ଟର୍ମିନାଲ ନିର୍ମାଣ ନହେବାକୁ ନେଇ ଜିଲ୍ଲା ପ୍ରଶାସନ, ଲୋକ ପ୍ରତିନିଧି ତଥା ଶିଳ୍ପାନୁଷ୍ଠାନ ଓ ଖଣି କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ଅନୁଗୋଳ ଜିଲ୍ଲା ଟ୍ରକ ଆସୋସିଏସନ ।