• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମୋ ସାଇକେଲ୍ ପିଛା ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି ।

  • ଚୁକ୍ତିନାମାର ନକଲ ଓଟିଭି ହାତରେ ଲାଗିଛି ।

  • ପ୍ରତି ସାଇକେଲ ବାବଦକୁ ୨୫ ହଜାର ଓ ସାଙ୍ଗକୁ ପ୍ରତି ବର୍ଷ ୫ ହଜାର ।

ଭୁବନେଶ୍ୱର: ରାଜଧାନୀରେ ଖତ ଖାଉଥିବା ବିଏମ୍‌ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ । ୨୦୧୯ ଫେବ୍ରୁଆରୀରେ ହୋଇଥିବା ଏ ଚୁକ୍ତିନାମାର ନକଲ ଓଟିଭି ହାତରେ ଲାଗିଛି । ଯେଉଁଥିରେ ୟୋନୋ କମ୍ପାନୀ, ପ୍ରତି ସାଇକେଲ ବାବଦକୁ ୨୫ ହଜାର ଓ ସାଙ୍ଗକୁ ପ୍ରତି ବର୍ଷ ଶେଷରେ ୫ ହଜାର ଟଙ୍କା ଲେଖାଏଁ ନେବ । ତେବେ ମେଣ୍ଟେନାନ୍ସ ପାଇଁ ଚୁକ୍ତି ସତ୍ତ୍ୱେ ସାଇକେଲ କାହିଁକି ଖତ ଖାଉଛି ଏବଂ ଶାଗମାଛ ଦରରେ ବିକ୍ରି ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ରାଜଧାନୀରେ ମୋ ସାଇକେଲ୍ ଯୋଜନା ବାଟବଣା ପରେ ଖୋଲୁଛି ନୂଆ ଗୁମର । ମାତ୍ର ଦୁଇ ବର୍ଷରେ ଖତ ଖାଇଥିବା ଏଭଳି ସେବାକୁ ନେଇ ଫିଟୁଛି ଭିତିରି ତଥ୍ୟ । ଦସ୍ତାବିଜରେ ଲେଖା ଅଛି, ୨୦୧୯ ଫେବ୍ରୁଆରୀ ୧ ତାରିଖରେ ହୋଇଥିବା ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି, ମୋ ସାଇକେଲ ଯୋଜନା ପରିଚାଳନା କରୁଥିବା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନପୋର୍ଟ (କ୍ରୁଟ୍) ଓ ମୋ ସାଇକେଲ ଯୋଜନାରେ ସାଇକେଲ ଯୋଗାଇଥିବା ହିରୋ ୟୁୟୋନ ପ୍ରାଇଭେଟ୍ ଲିମିଟେଡ୍ ୟୋନୋ । ଏଥିରେ ଉଲ୍ଲେଖ ଅଛି ସାଇକେଲ ମୁତୟନ ବାବଦକୁ କମ୍ପାନୀ ପାଇବ ୨୫ ହଜାର ଟଙ୍କା । ଆଉ ପ୍ରତି ବର୍ଷ ଶେଷରେ ୫ ବର୍ଷର ରକ୍ଷଣାବେକ୍ଷଣ ବାବଦକୁ ସାଇକେଲ ପିଛା କମ୍ପାନୀ ବୁଝିନେବ ୫ ହଜାର ଟଙ୍କା ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ରକ୍ଷଣାବେକ୍ଷଣ ବାବଦକୁ କମ୍ପାନୀ ପ୍ରତି ବର୍ଷ ଶେଷରେ ୫ ହଜାର ଟଙ୍କା ନେଉଛି, ତେବେ ରାସ୍ତା କଡ଼ରେ କାହିଁକି ଖତ ଖାଉଛି, ଶହ ଶହ ମୋ ସାଇକେଲ । ଆଉ ଚୁକ୍ତି ସମୟକୁ ୨ ବର୍ଷ ପୁରଣ ହୋଇସାରିଥିବାରୁ ଏ ବାବଦକୁ କମ୍ପାନୀ ଚୁକ୍ତି ଅନୁସାରେ ୧୦ ହଜାର ଟଙ୍କା ବି ପାଇଥିବ । ଏସବୁ ପରେ ବି ସାଇକେଲଗୁଡ଼ିକ ଏଭଳି ଦୁରବସ୍ଥା କାହିଁକି ?

ସ୍ମାର୍ଟସିଟିରେ ଖାଲି ମୋ ସାଇକେଲ ନୁହଁ, ରାଜଧାନୀବାସୀଙ୍କ ଚଳଣୀ ଓ ଜୀବନକୁ ସହଜ ସୁଗମ କରିବାକୁ ୨୦୧୯ରେ ଆରମ୍ଭ ହୋଇଥିଲା ଅତ୍ୟାଧୁନିକ ଇଣ୍ଟରନେଟ୍ ଇଣ୍ଟରଫେସ ସୁବିଧା ଯୋଗାଇ ଦେବାକୁ ସ୍ମାର୍ଟ କିଓସ୍କ । ଯେଉଁଠାରେ ଲୋକେ ମୋବାଇଲ ଚାର୍ଜିଂ, ଏମର୍ଜେନ୍ସି କଲ୍ ଏବଂ ମେଡିକାଲ କିଟ୍ ସହ ଅନେକ ସେବା ଓ ସୁବିଧା ପାଇବାର ଥିଲା । କୋଟି କୋଟି ଟଙ୍କା ବ୍ୟୟରେ ରାଜଧାନୀର ୨୫ଟି ସ୍ଥାନରେ ଏ ସ୍ମାର୍ଟ କିଓସ୍କ ଲଗାଇଥିଲା ବିଏମ୍‌ସି । ହେଲେ ମାତ୍ର ଦୁଇବର୍ଷ ପରେ ସବୁ ଅସ୍ତବ୍ୟସ୍ତ । ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ସେବା ଓ ସୁବିଧା କାର୍ଯ୍ୟକ୍ଷମ ହୋଇପାରିନି । ଏଣେ ସ୍ମାର୍ଟ କିଓସ୍କ ନିର୍ମାଣ କାମ ଏବେ ବି ସରିନି ବୋଲି କହିଛନ୍ତି ବିଏମ୍‌ସି କମିଶନର ।