• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପଦାରେ ପଡ଼ିଲା OMCର ଦାଦାଗିରି

  • ପ୍ରତିବାଦ କଲେ ଦେଉଛି ଧମକ

କେନ୍ଦୁଝର(ପ୍ରଣୟ ପାଣି): ଓମସିର ଦାଦାଗିରି । ଡମ୍ପିଙ୍ଗ ୟାର୍ଡ କରିବାକୁ ଯୋର ଜବରଦସ୍ତ ହାତେଇ ନେଇଛି ଆଦିବାସୀଙ୍କ ଜମି ଆଉ ପ୍ରତିବାଦ କଲେ ମିଳୁଛି ଧମକ। ଏଣୁ ପେଟ ଚାଖଣ୍ଡକେ ପାଇଁ ଜମିହରା ଆଦିବାସୀଙ୍କୁ ଓଏମସି ବନାଇ ଦେଇଛି ଗାଇ ଚରାଳି । ଅଭିଯୋଗ ପାଇ ଶିଘ୍ର ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ।

କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓଏମସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୂରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ନିଜର ଏକର ଏକର ଜମିରେ ବିଭିନ୍ନ ଚାଷ କରି ଖୁସିରେ ରହୁଥିଲେ ଏମାନେ । ହେଲେ ତାଙ୍କ ଜମିରେ ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡ ବନେଇ ଦେଇଥିବାରୁ ପେଟ ଖଣ୍ଡକ ପାଇଁ ଅନ୍ୟର ଗାଇ ଚରାଇବାକୁ ଏମାନେ ବାଧ୍ୟ ହେଉଛନ୍ତି । ଖାଲି ଏମାନେ ନୁହଁନ୍ତି ଏହିପରି ସେହି ଗାଁର ସୁନାରାମ ମୁଣ୍ଡା , ଭାଗିରଥି ମୁଣ୍ଡା , ମହୁର ବେହେରା , ମଦନ ମୋହନ ନାଏକ , ସୁନ୍ଦରୀ ବେହେରା, ନାରଦ କାର୍ଜୀ , ପଂଗୁ ବେହେରା ଇତ୍ୟାଦିଙ୍କ ଜମିକୁ ହଡ଼ପ କରିଛି ଓଏମସି । ଆଉ ଅଭିଯୋଗ କଲେ ଦେଖାଯାଉଛି ନାଲିଆଖି। ତେବେ ଏହାକୁ ନେଇ ସେମାନେ ବାଂଶପାଳ ତହସିଲଦାର ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ ।

୨୦୧୮ ଏପ୍ରିଲ ମାସରେ ଯେତେବେଳେ ଓଏମସି ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡର ପାଚେରୀ କାମ ଆରମ୍ଭ କଲା ସେତେବେଳେ ଜମିହରା ଗ୍ରାସବାସୀ ମାନେ ବାଂଶପାଳ ତହସିଲଦାରଙ୍କ ଦ୍ଵାରସ୍ତ ହୋଇଥିଲେ । ହେଲେ ତହସିଲଦାର କୌଣସି ପଦକ୍ଷେପ ନେଇନଥିଲେ । ଏଣୁ ଏମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଚିଠି ସଂଖ୍ୟା ୮/୨୦୧୮ ୨୪.୪.୨୦୧୮ ରେ ଜମି ଚିହ୍ନଟ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରି ବସିଗଲେ । ଆଉ ଇତି ମଧ୍ୟରେ ଓଏମସି ତାର ପାଚେରୀ କାମ ସଂମ୍ପୂର୍ଣ୍ଣ କରି ଡ଼ମ୍ପିଙ୍ଗ ୟାର୍ଡ ଚାଲୁ ମଧ୍ୟ କରିଦେଲା । ହେଲେ ଆଜି ଯାଏ ଜମି ଚିହ୍ନଟ ହେଲା ନାହିଁ । ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି କାହିଁକି ତାହା କାର୍ଯ୍ୟକାରୀ ହୋଇନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।

ତେବେ କେଉଁ ଅଧିକାରୀ ଓ ବଡ଼ବାବୁ ମାନେ ଏହି ଘଟଣାରେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଜୋରସୋରରେ ଦାବି ହେଉଛି।