• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କ୍ୟାପିଟାଲ ହସ୍ପିଟାଲରେ ବିଧାୟକ ଜଗଦ୍ଦେବ

  • ହୃଦରୋଗ ସମସ୍ୟା ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ

  • ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ

  • ଜାମିନ ଆବେଦନ ଖାରଜ ହେବାରୁ ଖୋର୍ଦ୍ଧା ସବଜେଲ୍ ଯାଇଥିଲେ

ଚିଲିକା : ଅସୁସ୍ଥତା ପାଇଁ ଜେଲ ବଦଳରେ ମେଡିକାଲ । ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଜାମିନ ଆବେଦନ ଖାରଜ ହେବାରୁ ଖୋର୍ଦ୍ଧା ସବଜେଲ୍ ଯାଇଥିଲେ ଚିଲିକା ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଡିଜେ କୋର୍ଟରେ ହାଜର ହେବା ସହ ଜାମିନ ଆବେଦନ କରିଥିଲେ ।

ତେବେ କୋର୍ଟ ତାଙ୍କ ଜାମିନ ନାମଂଜୁର କରିଦେଇଥିଲେ । ଏହାପରେ ବିଧାୟକଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ଏବଂ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ ।

ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ବିଧାୟକଙ୍କ ବିରୋଧରେ ଲାଗିଥିଲା ଏସସି-ଏସଟି ଉତ୍ପୀଡ଼ନ କେଶ୍ । ଜାମିନ ଆବେଦନ ପାଇଁ ସେ ଗତ ୫ତାରିଖରେ ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ତଳକୋର୍ଟରେ ଆବେଦନ ଲାଗି କହିଥିଲେ । ସେପଟେ ବିଧାୟକଙ୍କ ଦାଦାଗିରି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

 ତେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ ଏହି ଘଟଣା ମହଙ୍ଗା ପଡ଼ିଛି ।