• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପିଲାଙ୍କୁ ବାୟା କଲାଣି ସ୍ମାର୍ଟ ଫୋନ୍‌ ।

  • ୟୁଟ୍ୟୁବ୍‌ ନଦେଖିଲେ ନିଦ ହଉନି ।

  • ଲକ୍‌ଡାଉନ୍‌ ବଦଳାଇ ଦେଇଛି ପିଲାଙ୍କ ସ୍ୱଭାବ ।

ଭୁବନେଶ୍ୱର: ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଉଛି ମୋବାଇଲରେ ଅନ୍‌ଲାଇନ ପାଠପଢା ଲାଗି ପିଲାଙ୍କ ଆଗ୍ରହ ନାହିଁ । ମାତ୍ର ୧୦ ପ୍ରତିଶତ ପିଲା ଅନଲାଇନ୍‌ କ୍ଲାସ କରିବାକୁ ପସନ୍ଦ କରିଛନ୍ତି ।

ଭୁବନେଶ୍ୱରର ୟୁନିଟ୍-୮ ଅଞ୍ଚଳର ଡି. ଶ୍ରେୟାଂଶ କୁମାର । ୧୧ ବର୍ଷୀୟ ଶ୍ରେୟାଂଶ ଷଷ୍ଠ ଶ୍ରେଣୀର ଛାତ୍ର । କିନ୍ତୁ ସୋସିଆଲ ମିଡିଆରେ ସେ ପୁରା ଆକ୍ଟିଭ୍ । ଫେସବୁକ୍‌ରେ ତାଙ୍କର ୭୬୫ ସାଙ୍ଗ । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ପ୍ରୋଫାଇଲ୍‌କୁ ଫଲୋ କରୁଛନ୍ତି ୩୪୭ । ନିଜର ୟୁଟ୍ୟୁବ୍‌ ଆକାଉଣ୍ଟ ବି ଖୋଲିଛନ୍ତି ଶ୍ରେୟାଂଶ । ଦିନକୁ ପାଖାପାଖି ୬ ଘଣ୍ଟା ମୋବାଇଲରେ କଟୁଛି । ରାତିରେ ୟୁଟ୍ୟୁବ୍ ନ ଦେଖିଲେ ଆଖିକୁ ନିଦ ଆସୁନି । କରୋନା ପୂର୍ବରୁ ସକାଳୁ କ୍ଲାସ୍ ଯିବାକୁ ପଡ଼ୁଥିଲା, ତେଣୁ ରାତିରେ ଜଲ୍‌ଦି ଶୋଇ ପଡ଼ୁଥିଲେ । ଏବେ କ୍ଲାସ୍ ଟେନ୍‌ସନ୍ ନାହିଁ, ତେଣୁ ଡେରିରେ ଶୋଉଥିବାରୁ ମୋବାଇଲ ଦେଖୁଛନ୍ତି ବୋଲି କହିଛନ୍ତି ଶ୍ରେୟାଂଶ ।

କେବଳ ଶ୍ରେୟାଂଶ ନୁହନ୍ତି ତାଙ୍କ ଭଳି ହଜାର ହଜାର କୋମଳମତି ପିଲା ଏବେ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ଜାଲରେ । ଅଭିଭାବକଙ୍କ ମତ, ଲକ୍‌ଡାଉନ ପରଠାରୁ ପିଲାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଛି । ବାହାରକୁ ଯିବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ମୋବାଇଲରେ ସମୟ କାଟିବା ବ୍ୟତିତ ଅନ୍ୟ ବିକଳ୍ପ ନାହିଁ ।

ମୋବାଇଲ ଫୋନ ଓ ଇଣ୍ଟରନେଟ୍‌ର ବ୍ୟବହାର ଦ୍ୱାରା ପିଲାଙ୍କ ଉପରେ ପଡୁଥିବା ପ୍ରଭାବକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ-NCPCR । ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରକୁ ନେଇ କରାଯାଇଥିବା ସର୍ଭେ ଅନୁସାରେ ଦେଶର ୮ରୁ ୧୮ ବର୍ଷ ବୟସ ବର୍ଗର ୫୨.୯ ପ୍ରତିଶତ ପିଲା ହ୍ୱାଟସ୍ଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଓ ସ୍ନାପ୍‌ଚାଟ୍ ଭଳି ଚାଟିଂ ଆପ୍ ଲାଗି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ।  କିନ୍ତୁ ଅନ୍‌ଲାଇନ୍ ପାଠପଢ଼ା ପାଇଁ ମାତ୍ର ୧୦.୧ ପ୍ରତିଶତ ଶିଶୁ ଆଗ୍ରହ ଦେଖାଉଛନ୍ତି । ସର୍ଭେ ଅନୁସାରେ ଦେଶର ୩୦.୨% ପିଲାଙ୍କ ପାଖରେ ନିଜସ୍ୱ ସ୍ମାର୍ଟଫୋନ୍ ଅଛି ।

ତେବେ ଆଶ୍ଚଯର୍ୟର କଥା ୪୨.୯ ପ୍ରତିଶତ ପିଲାଙ୍କର ସୋସିଆଲ୍ ମିଡିଆରେ ଆକାଉଣ୍ଟ ରହିଛି । ୩୭.୮ ପ୍ରତିଶତ ପିଲାଙ୍କର ନିଜସ୍ୱ ଫେସ୍‌ବୁକ୍ ଆକାଉଣ୍ଟ ଥିବା ବେଳେ ୨୪.୩ ପ୍ରତିଶତ ପିଲା ଇନ୍‌ଷ୍ଟାଗ୍ରାମରେ ଆକଟିଭ୍ ଅଛନ୍ତି । ତେବେ ଏ କ୍ଷେତ୍ରରେ ଓଡ଼ିଶାର ପିଲା ବହୁ ଆଗରେ ରହିଛନ୍ତି । ରାଜ୍ୟର ୪୭.୬ ପ୍ରତିଶତ ପିଲାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଅଛି । ରାଜ୍ୟର ୮ରୁ ୧୮ ବର୍ଷ ବୟସ ବର୍ଗର ୬୦ ପ୍ରତିଶତ ପିଲା ଫେସ୍‌ବୁକ୍ ବ୍ୟବହାର କରୁଥିବା ବେଳେ ୩୫ ପ୍ରତିଶତ ଇନ୍‌ଷ୍ଟାଗ୍ରାମ୍ ଓ ୯ ପ୍ରତିଶତ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି । ଏମିତିକି ୨୩.୮୦ ପ୍ରତିଶତ ପିଲା ମୋବାଇଲ ନ ଦେଖିଲେ ରାତିରେ ନିଦ ହେଉ ନ ଥିବା କହିଛନ୍ତି । ପିଲାଙ୍କ ଦ୍ୱାରା ସ୍ମାର୍ଟଫୋନ୍ ଓ ଇଣ୍ଟରନେଟର ବହୁଳ ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଉଭୟ ମନସ୍ତତ୍ତ୍ୱବିତ୍ ଓ ସାଇବର୍ ଏକ୍ସପର୍ଟ ।