• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋକେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ଭାରତ ବନ୍ଦ ପାଳନ କରୁଛି କୃଷକ ମୋର୍ଚ୍ଚା ।

ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ପିକେଟିଂ କରୁଛନ୍ତି । କେନ୍ଦ୍ରର ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣ ୩ଟା ଯାଏ OSRTC ବସ ଚଳାଚଳ ବନ୍ଦ ରଖାଯାଇଛି ।

ଆଜି ବରଗଡରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ସ୍ଥାନୀୟ ଗାନ୍ଧି ଛକରେ ସମେତ ବିଭିନ୍ନ ଛକରେ ଜୟ କିଷାନ ଆନ୍ଦୋଳନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ, ସଂଯୁକ୍ତ କିସାନ ମୋର୍ଚ୍ଚା,ସିପିଆଇ, କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ୫୩ ନମ୍ବର ଜାତୀୟ ରାଜପଥରେ ବମ୍ବେ ହବଡା ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭାରତ ବନ୍ଦ ଡାକରା ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି । ଏହା ସାଙ୍ଗକୁ ବରଗଡ ବସଷ୍ଟାଣ୍ଡରୁ ସରକାରୀ କିମ୍ବା ଘରୋଇ କୌଣସି ବସ ଚଳାଚଳ କରୁନାହିଁ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଆନ୍ଦୋଳନ ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ଅନ୍ୟପଟେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ସକାଳୁ ଖୋଲୁଥିବା ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ କଂଗ୍ରେସ ନେତା ଓ କର୍ମୀ ଏହାକୁ ବନ୍ଦ କରିଛନ୍ତି।