• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୋସେବା ପାଇଁ ଉତ୍ସର୍ଗ ଜୀବନ

  • ନିଜସ୍ୱ ଅର୍ଥରେ ଆଶ୍ରମ ତିଆରି କରିଛନ୍ତି ଅଶୋକ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି) : ସ୍ୱାର୍ଥପର ଦୁନିଆରେ ଜଣେ ନିସ୍ୱାର୍ଥପର ମଣିଷ । ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ଭଳି । ଲୋକେ ଯେତେବେଳେ ନିଜ ବୃଦ୍ଧ ମାବାପାଙ୍କୁ ମଧ୍ୟ ଘରୁ ତଡି ଦେଉଛନ୍ତି ସେତେବେଳେ ବାଟରେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈଗୋରୁଙ୍କୁ ଘରକୁ ନେଇଯାଆନ୍ତି ଅଶୋକ ସାହୁ । ନିଜ ଖର୍ଚ୍ଚରେ ଏକ ଗୋଆଶ୍ରମ ନିର୍ମାଣ କରି ସେ ଗାଈଗୋରୁଙ୍କ ସେବା କରୁଛନ୍ତି ।

ପଦ୍ମପୁର ଉପଖଣ୍ଡ ସଦରମହକୁମା ଠାରୁ ପ୍ରାୟ ୫୦ କିଲୋ ମିଟର ଦୂର ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁର ଗ୍ରାମ । ଓଡିଶା ଛତିଶଗଡ ଶେଷ ସୀମାବର୍ତ୍ତି ଏହି ଗ୍ରାମର ଜଙ୍ଗଲ ନିକଟରେ ନିଜସ୍ୱ ପ୍ରୟାସରେ ଗାଈଗୋରୁଙ୍କ ପାଇଁ ଏକ ଗୋ ଆଶ୍ରମ ନିର୍ମାଣ କରିଛନ୍ତି ଅଶୋକ ସାହୁ । ଆଉ ଏହାର ନାମ କାମଧେନୁ ଗୋଆଶ୍ରମ । ସେଠାରେ ରୋଗାଗ୍ରସ୍ତ ଅସହାୟ ଏବଂ ପରିତ୍ୟକ୍ତ ବୃଦ୍ଧ ଗାଇଗୋରୁଙ୍କୁ ରଖି ତାଙ୍କର ସେବାରେ ନିଜର ମନ ଏବଂ ସମୟ ବିନିଯୋଗ କରୁଛନ୍ତି । ଏହା ସହ ଗର୍ଭବତୀ ଗାଇ ଏବଂ ନବଜାତ ବାଛୁରୀକୁ ନିଜ ଘରେ ଥିବା ଗୁହାଳରେ ରଖି ତାଙ୍କର ସ୍ୱତନ୍ତ୍ର ଭାବରେ ସେବା କରୁଛନ୍ତି ଅଶୋକ ସାହୁ ଏବଂ ତାଙ୍କର ଧର୍ମପତ୍ନୀ ।

ପ୍ରଥମେ ପ୍ରଥମେ ୨୦ ଟି ଗାଈଗୋରୁ ରଖି ଆରମ୍ଭ କରିଥିଲେ ସେ ସେବା କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ତା’ପରେ ଧିରେ ଧିରେ ଲୋକେ ଏ ବିଷୟରେ ଜାଣିବା ପରେ ଯିଏ ଯେଉଁଠୁ ଅସହାୟ ବୁଲା ଗାଈଗୋରୁ ପାଇଲା କିମ୍ବା କଂସେଇ ପାଖରେ ବିକି ଦେଉଥିବା ଗାଈଙ୍କୁ ରକ୍ଷା କରିବାକୁ ଆଣି ଗୋଆଶ୍ରମରେ ଛାଡିଦେଇ ଯାଉଛନ୍ତି । ଏମିତି ହେଉ ହେଉ ଗାଇଙ୍କ ସଂଖ୍ୟା ବର୍ତ୍ତମାନ ୧୦୦ ଟପିଲାଣି । ହେଲେ ଅଧିକ ଗାଇ ଥିବାରୁ ବର୍ତମାନ ଦାନା ଦେବା ପାଇ ସମ୍ଭବ ହୋଇ ପାରୁପାରୁନି । ଫଳରେ ଆଖପାଖ ଜଙ୍ଗଲରେ ଗାଈ ଚଳାଇବା ବର୍ଷା ଦିନେ ଘରେ ପୁଆଳ ନଡା ଖାଇବାକୁ ଦେଉଛନ୍ତି ଅଶୋଖ । ଏହି କାର୍ଯ୍ୟ ପାଇଁ ସେ କିଛି ଚରୁଆଳି ମଧ୍ୟ ରଖିଛନ୍ତି ।

ସେବା ମନୋବୃତ୍ତି ଯୋଗୁଁ ଏଠାରେ ଗାଈ ଧୀର ଦୁହାଁଯାଏ ନାହିଁ । କେବଳ ଗାଇ ଗୋବରରୁ ଯାହା ମିଳେ, ସେ ଟଙ୍କାକୁ ସେବା ଓ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ । ଆହୁରି ଗାଈ ରଖିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ଥିଲେ ହେଁ ଜାଗା ଅଭାବରୁ ସେ ରଖିବା ଅସମର୍ଥ । ପ୍ରଥମେ ପ୍ରଥମେ ତାଙ୍କ ପରିବାର ଓ ସ୍ତ୍ରୀ ଅଶୋକଙ୍କ ଏପରି ମନୋଭାବ ଦେଖି ଭବିଷ୍ୟତକୁ ନେଇ ଚିନ୍ତିତ ରହିଥିଲେ । ହେଲେ ବର୍ତ୍ତମାନ ସେମାନେ ବେଶ୍ ଖୁସି ଥିବା ସହ ତାଙ୍କୁ କାମରେ ସାହାଯ୍ୟ କରୁଛନ୍ତି । ତେବେ ବୁଲା ଗାଈଗୋରୁଙ୍କ ପାଇଁ ନିଜସ୍ୱ ପ୍ରଚେଷ୍ଟାରେ ମହତ କାର୍ଯ୍ୟ କରୁଥିବା ଅଶୋକଙ୍କୁ ସରକାରଙ୍କ ତରଫରୁ ସହାୟତା ମିଳିଲେ, ତେବେ ସେ ଆହୁରି ସେବା କରିପାରନ୍ତେ ।