• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନୟାଗଡ଼ ବଜ୍ରକୋଟରେ ରହିଛି ଏହି ଦେବୀ ପୀଠ

  • ଏବେ ଯାଏ ମିଳିପାରିନି ପର୍ଯ୍ୟଟନସ୍ଥଳୀର ମାନ୍ୟତା

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ) : ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ । ଆଗକୁ ଗଲେ ବିଶାଳ ପାହାଡ, ଆଉ ପାହାଡର ଛାତି ଚିରି କୁଳୁକୁଳୁ ଶବ୍ଦ କରି ବହିଯାଉଛି ଝରଣା । ଏଠିକାର ଶାନ୍ତ ସ୍ନିଗ୍ଧ ପରିବେଶ କାହାକୁ ବି ଆକର୍ଷିତ କରିପାରେ । ତେବେ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ମାଙ୍କ ମହିମା ଏଠାକୁ ଟାଣି ଆଣେ ଶହ ଶହ ଶ୍ରଦ୍ଧାଳୁଙ୍କୁ ।

ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ନିକଟ ସଂରକ୍ଷିତ ଜଂଗଲରେ ରହିଛି ଅସୁରକୁମାରୀ ପୀଠ । କାହିଁ କେଉଁ କାଳରୁ ଦୁଇଟି ବିଶାଳ ପଥର ମଝିରେ ଝରଣା ସ୍ରୋତର ଠିକ୍ ମଧ୍ୟ ଭାଗରେ ବିରାଜିତ ମା ଅସୁରକୁମାରଙ୍କ ସୁନ୍ଦର ପ୍ରତିମୂର୍ତ୍ତି । ଏକ ଅସୁର ମୁଣ୍ଡ ଉପରେ ଦଣ୍ଡାୟମାନ ଅବସ୍ଥାରେ ମାଙ୍କ ପାଦକୁ ଛୁଇଁ ବହି ଚାଲିଛି ଝରଣା । ଆଉ ଠିକ୍ ମାଙ୍କ ପାଦ ତଳେ ରହିଛି ମାନସିକ କୁଣ୍ଡ ବିଶ୍ୱାସ ରହିଛି । ଏହି କୁଣ୍ଡରେ ସ୍ନାନ କଲେ ଦୁରାରୋଗ ଭଲ ହେବା ସହ ମାନସିକ ପୂରଣ ହୁଏ । ମାଙ୍କ ଆବିର୍ଭବ ନେଇ ବି ରହିଛି ଅନେକ କିମ୍ବଦନ୍ତୀ । ଏଣୁ ପ୍ରଗାଢ ବିଶ୍ୱାସ ସାଙ୍ଗକୁ ସୁନ୍ଦର ପରିବେଶ ଆକର୍ଷିତ କରେ ପର୍ଯ୍ୟଟକଙ୍କୁ ।

ଖାଲି ପ୍ରାକୃତିକ ପରିବେଶ ନୁହେଁ , ବନ୍ୟଜନ୍ତୁଙ୍କୁ ଦେଖିବାକୁ ବି ଭିଡ ଜମାନ୍ତି ପର୍ଯ୍ୟଟକ । ଖାସ କରି ଅତିକାୟ ଗୁଣ୍ଡୁଚି ମୂଷା ଏ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟ ଏକ ଆର୍ଷଣ । କୁହାଯାଏ ଦକ୍ଷିଣ ଏସିଆର ବିରଳ ପ୍ରଜାତିର ଅତିକାୟ ଗୁଣ୍ଡୁଚି ମୂଷା କେବଳ ଏଠାରେ ହିଁ ଦେଖିବାକୁ ମିଳେ । ଏହାସହ ଦେଖିବାକୁ ମିଳେ ମୟୁରଠୁ ଆରମ୍ଭ କରି ବିରଳ ବନ୍ୟଜନ୍ତୁ । ପୁଣି ବଣଭୋଜି ସହ ବାହାଘର ଆଦି ଅନ୍ୟାନ୍ୟ ଉତ୍ସବ ପାଳିବାକୁ ବି ଲୋକେ ଆସୁଛନ୍ତି । ହେଲେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାରୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିପାରିନାହିଁ । ଖୁବଶୀଘ୍ର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହ ପୀଠର ବିକାଶ ପାଇଁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ।