• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣା ପରେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା । ବୁଡିଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ । ଦୁର୍ଘଟଣା ଦିନ ଓଟିଭିର ଚିଫ୍ ରିପୋର୍ଟର ଦିବଂଗତ ଅରିନ୍ଦମ ଦାସଙ୍କୁ ସେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ବୋଲି ମାନସ କହିଛନ୍ତି । ମାନସ କହିଛନ୍ତି, ସେ ଯେତେବେଳେ ଅରିନ୍ଦମଙ୍କୁ ଦେଶୀ ଡଙ୍ଗାରେ ଉଦ୍ଧାର କରିଥିଲେ, ସେତେବେଳେ ସେ ଜୀବିତ ଥିଲେ । ସେପଟେ ପାଣି ଭିତରେ ସେଦିନର ଛାତିଥରା କାହାଣୀ ବଖାଣିଛନ୍ତି ଓଡ୍ରାଫ ଯବାନ । ନିବରଣ ଦଳେଇ କହିଛନ୍ତି, ଅରିନ୍ଦମ ଏବଂ ସାଥୀ ସୀତାରାମଙ୍କୁ ବଂଚାଇବାକୁ ସେ ସବୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ ।

ଅନ୍ୟପଟେ ଦିବଙ୍ଗତ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାର ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । କେନ୍ଦୁଝର ଉପଜିଲ୍ଲାପାଳ, ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି । ଜର୍ଣ୍ଣାଲିଷ୍ଟୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏପଟେ ଅରିନ୍ଦମଙ୍କ ବିୟୋଗର ଦୁଇ ଦିନ ପରେ ବି ଏଯାଏଁ ତାଙ୍କୁ ଝୁରୁଛନ୍ତିି ତାଙ୍କ ସାଙ୍ଗସାଥୀ, ସହପାଠୀ । ଏହି କ୍ରମରେ ଅରିନ୍ଦମଙ୍କ ସ୍ମୃତିରେ ସେ ପାଠ ପଢ଼ିଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍-IIMC ପରିବାର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭୁବନେଶ୍ୱର ଓଡ଼ିଶା ପ୍ରେସ କ୍ଲବଠାରେ ଆୟୋଜିତ ଶୋକସଭାରେ IIMC ଆଲୁମିନି ଆସୋସିଏସନର ବହୁ ସଦସ୍ୟ ଏକତ୍ରିତ ହୋଇ ଦିବଂଗତ ଆତ୍ମାର ସଦ୍‌ଗତି ଲାଗି ନିରବ ପ୍ରାର୍ଥନା କରିଥିଲେ । ଅରିନ୍ଦମଙ୍କ ସହ ବିତାଇଥିବା ପୁରୁଣା ସ୍ମୃତିର ରୋମନ୍ଥନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

କୁହାଯାଏ, ବିପର୍ଯ୍ୟୟ ଯେଉଁଠି, ଅରିନ୍ଦମ ସେଇଠି ଥାନ୍ତି । ବିପତ୍ତି ଯେଉଁଠି, ସଦାବେଳେ ସେଇଠି ଥାଏ ତାଙ୍କ ଉପସ୍ଥିତି । ଅଣଚାଷ ପବନ ଆଗରେ ଛାତି ପତେଇ ଲୋକଙ୍କୁ ସତର୍କ କରିବା ସହ ଗ୍ରାଉଣ୍ଡ ଜିରୋରୁ ଦୁନିଆ ସାମ୍ନାକୁ ଆଣନ୍ତି ବିପନ୍ନଙ୍କ ଦୁଃଖ, ଦୁର୍ଦ୍ଦଶାର ଚିତ୍ର । ବାତ୍ୟା ଆସିଲା ମାନେ ଟିଭି ସ୍କ୍ରିନ୍‌ରେ ସେଇ ଡେଙ୍ଗା, ପତଳା କିନ୍ତୁ ଅତୀବ ସାହସୀ, ବିପର୍ଯ୍ୟୟ ବେଳର ଭୟଶୂନ୍ୟ ସାମ୍ବାଦିକଙ୍କୁ ଖୋଜେ ସବୁ ଆଖି । ଅରିନ୍ଦମଙ୍କ ମୁହଁରୁ ଶୁଣିବାକୁ, ଚାହିଁ ରହିଥାନ୍ତି ସମସ୍ତେ । ସେ ଯାଉ ଯାଉ ଆଜି ପୁଣି ବାତ୍ୟା ଆସିଲା । ସମୁଦ୍ରରେ ଗର୍ଜୁଛି ଗୁଲାବ । ହେଲେ ଗ୍ରାଉଣ୍ଡ ଜିରୋରୁ ଖବର ଦେବାକୁ ଆଉ ନାହାନ୍ତି ଅରିନ୍ଦମ । ଫାଇଲିନ୍‌ରୁ ତିତଲି, ଫନିରୁ ଅମ୍ପାନ୍ ଅବା ୟାସ୍ । ପ୍ରତିଟି ବାତ୍ୟାରେ ଅରିନ୍ଦମ୍‌ଙ୍କ ଡେୟାର ଡେଭିଲ୍ ଗ୍ରାଉଣ୍ଡ ରିପୋର୍ଟିଂକୁ, ଝୁରୁଛି ଓଡ଼ିଶା ।