• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଗାର ବିଦେଶିନୀ ଭକ୍ତ

  • ସବୁବେଳେ କାଳିଆ ପ୍ରେମରେ ଭୋଳ ଲୀଳାବତୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତକୁ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି ଳୀଳାବତୀ । ସେ ପ୍ରଭୁ ଜଗନ୍ନାଥ ଓ କୃଷ୍ଣଙ୍କ ପ୍ରେମରେ ଏତେ ବାଇ ଯେ ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲି ଯାଉଛନ୍ତି । ସବୁବେଳେ ମୁହଁରେ ପ୍ରଭୁ ଜଗନ୍ନାଥଙ୍କ ନାମ ।

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ବାରଣ ଥିବାରୁ ସେ ମନ ଭିତରେ କାଳିଆକୁ ଡାକୁଥିବା କୁହନ୍ତି । ଓଡ଼ିଆଣୀ ଭଳି ରାତି ପାହିଲେ ଗାଧୋଇ ପାଧୋଇ ତୁଳସୀ ଗଛ ମୂଳେ ପୂଜାର୍ଚ୍ଚନା କରିବା ସହ ତୁଳସୀ ପାଣିକୁ ପାଇଥାନ୍ତି । ଆଉ ତାପରେ ଗୋବିନ୍ଦଙ୍କ ପାଖରେ ହାରମୋନି୍ରମ୍ ଓ ମୁର୍ଦ୍ଦଙ୍ଗ ବଜାଇ ନାମ ସଂକୀର୍ତ୍ତନରେ ମଜି ଯାଅନ୍ତି । ତାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ସେ ଖାଣ୍ଟି ଓଡିଆଣୀ ।

ଲୀଳାବତୀ କୁହନ୍ତି ହରି ନାମରେ ଯେଉଁ ଆନନ୍ଦ ଅଛି, ତାହା କଣ ମଣିଷ କେଉଁ ଜନ୍ମରେ ବି ପାଇ ପାରିବ ନାହିଁ । ତାଙ୍କ ଦେଶ ଭଳି ପାଶ୍ଚାତ୍ୟ ଦେଶରେ ଲୋକେ କେବଳ ଧନ, ଯୌବନ, ଚାକିରୀ ଓ ପିଲାଛୁଆ ପଛରେ ଧାଇଛନ୍ତି । କିନ୍ତୁ ହରିଙ୍କୁ ସ୍ମରଣ କଲେ ଯେଉଁ ଶାନ୍ତି ଓ ଆନନ୍ଦ ମିଳେ, ତାହା କୌଣସି ବିଳାସବ୍ୟସନ ଜୀବନରେ ନାହିଁ । ସେଥିପାଇଁ ସେ ବିବାହ ବନ୍ଧନରେ ବାନ୍ଧି ନହୋଇ ସନାତନ ଧର୍ମର ମର୍ମ କଥାକୁ ଭଲ ଭାବେ ବୁଝିଛନ୍ତି ।

ଆଜିକୁ ୨୦ ବର୍ଷ ତଳେ ନିଜ ଦେଶରେ ଥିବା ରାଧକୃଷ୍ଣ ଆଶ୍ରମରେ ଗୀତା ଓ ଭାଗବତରେ କୃଷ୍ଣଙ୍କ କଥା ଶୁଣିଥିଲେ । ଆଉ ସେବେ ଠାରୁ ସେ କାଳିଆ ଭାବରେ ବନ୍ଧା ପଡ଼ିଛନ୍ତି । ସେ ମଝିରେ ମଝିରେ ଭାରତକୁ ଆସି ବିଭିନ୍ନ ତୀର୍ଥ ସ୍ଥାନ ଯେମିତି ବୃନ୍ଦାବନ, କାଶୀ ଓ ନବଦୀପ ନଦିଆରେ ଅନେକ ଦିନ କାଟିବାପରେ ଶେଷରେ ଓଡିଶାରେ ପହଞ୍ଚିଛନ୍ତି । ଖନ୍ତାପଡାର ଶ୍ରୀକୃଷ୍ଣ ଚୌତନ୍ୟ ମିଶନ ମଠକୁ ଆସି ସେଠାରେ ହିଁ ସବୁଦିନ ରହିବା ପାଇଁ ବାଛିନେଇଛନ୍ତି ।