• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଉରକେଲା: ଟ୍ରେନ୍‌ରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ସମସ୍ତଙ୍କର ଇଚ୍ଛା ଥାଏ, ଫାଷ୍ଟ୍‌ କ୍ଲାସ୍‌ ACରେ ଯାତ୍ରା କରିବା ପାଇଁ। ଖାଲି ଏତିକି ନୁହେଁ ଟ୍ରେନ୍‌ଟି ସଫାସୁତୁରା ହୋଇଥିବ ଓ ଭଲ ଖାଇବା ମିଳୁଥିବ ଇତ୍ୟାଦି। ଏଭଳି ଅନେକ କିଛି କଥା ମନକୁ ଆସିଥାଏ। କିନ୍ତୁ ଏସବୁ ସୁବିଧା କୌଣସି luxuryଠୁ ବି କମ୍‌ ନୁହେଁ ଓ ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥାଏ। ହେଲେ ଏବେ ଆପଣ ମାତ୍ର ୨୫୦ ଟଙ୍କାରେ ଏଭଳି କିଛି ସୁବିଧା ପାଇପାରିବେ। କିଛି ନିଆରା ଚିନ୍ତାଧାରା ନେଇ ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। 

ହୋଟେଲ୍‌ଟିକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି, ଯେକେହିବି ଏହାକୁ ଦେଖିଲେ ହଠାତ୍‌ ସେମାନଙ୍କୁ କୌଣସି ଏକ ଟ୍ରେନ୍‌ର AC କୋଚ୍‌ର ଭ୍ରମ ସୃଷ୍ଟି କରିବ। କାରଣ ଏହା ଅବିକଳ ଟ୍ରେନ୍‌ର AC ବଗି ଭଳି ଡିଜାଇନ୍‌ ହୋଇଛି। AC କୋଚ୍‌ ଭଳି ସିଟ୍‌ର ନମ୍ବର ମଧ୍ୟ ରହିବା ସହ ବେଡ୍‌ ବି ଅଛି। ଏହାସହ ମୋବାଇଲ ଚାର୍ଜର, ବେଡ୍‌ ଉପରେ ଛୋଟିଆ ଲକର୍‌ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତ କିଛି ମାସ ହେବ ରାଉରକେଲାରେ ଗ୍ରାହକଙ୍କୁ ଆତ୍କୃଷ୍ଟ କରୁଛି ଏଭଳି ଏକ ନିଆରା ହୋଟେଲ୍‌। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଦୁଇଟି ଫ୍ଲୋରରେ ଚାଲିଛି ଏହି ହୋଟେଲ।

 

ହୋଟେଲ ମାଲିକ ଅଶୋକ ଛଟୱାନିଙ୍କ କହିବା ଅନୁସାରେ, ‘ହୋଟେଲ୍‌ କରିବା ପୂର୍ବରୁ ପାଖରେ କିଛିବି ଟଙ୍କା ନଥିଲା। ତେବେ ଟଙ୍କା ଯୋଗାଡ଼ କରି ଏଭଳି ହୋଟେଲ୍‌ କରିବାକୁ ନିଷ୍ପତ୍ତି ନେଲି। କମ୍‌ ଟଙ୍କାରେ ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲି। ଶେଷରେ ସ୍ୱପ୍ନ ସାକାର ହେଲା।’  

ଲୋକଙ୍କ ପକେଟକୁ ଦେଖି ହୋଟେଲ୍‌ ଚାର୍ଜ ମଧ୍ୟ ରହିଛି। ମାତ୍ର ୨୫୦ ଟଙ୍କାରେ ଆପଣଙ୍କୁ ଗୋଟିଏ ବେଡ୍‌ ମିଳିବ। ଲୋକଙ୍କୁ ହୋଟେଲରେ ଏସି କୋଚର ମଜା ଦେବା ପାଇଁ ହୋଟେଲ ମାଲିକ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ତେବେ ଏଠି କେବଳ ପୁରୁଷ ମାନେ ହିଁ ରହିପାରିବେ। ଆଗକୁ ମହିଳା ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସବୁ ବର୍ଗର ଲୋକଙ୍କ ପକେଟ୍‌କୁ ସୁହାଇଲା ପରି ଏହି ହୋଟେଲ ହୋଇଛି। କରୋନା ପାଇଁ ହୋଟେଲ କର୍ତ୍ତୃପକ୍ଷ ସାନିଟାଇଜ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗ୍ରାହକ ବି ଏଭଳି ହୋଟେଲ୍‌ରେ ରହି ବେଶ୍‌ ଖୁସି ଥିବା କହିଛନ୍ତି।