• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି । ଗତ ସେପ୍ଟେମ୍ବର ୨୨ ତାରିଖରେ ଶ୍ରେୟାଂଶୀ ମାତ୍ର ୨୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ଶ୍ଲୋକ ଉଚ୍ଚାରଣ କରି ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

ତରଡାପଡା ଗ୍ରାମର ସୁରଜ ପଣ୍ଡା ଓ ସସ୍ମିତା ପଣ୍ଡାଙ୍କ ଝିଅ ଡି ସାଇ ଶ୍ରେୟାଂଶୀ । ପ୍ରାୟ ୨ ବର୍ଷ ବୟସରୁ ଶ୍ରେୟାଂଶୀଙ୍କର ପ୍ରତିଭାର ପରିଚୟ ପାଇଥିଲେ ତାଙ୍କ ଜେଜେ ରଶ୍ମୀରଞ୍ଜନ ମିଶ୍ର । ନାଚ, ଗୀତ ଓ ଅଭିନୟ ପ୍ରଭୃତି ପ୍ରତି ନାତୁଣୀର ଆଗ୍ରହ ଦେଖି ଜେଜେ ଏହିସବୁ ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା କରାଇଥିଲେ । ତେବେ ଘରେ ନିୟମିତ ଭାବେ ହେଉଥିବା ବୈଦିକ ଯଜ୍ଞ ନିକଟରେ ବସି ବସି ଶ୍ରେୟାଂଶୀ ଶ୍ଳୋକ ଉଚ୍ଚାରଣ କରିବା ମଧ୍ୟ ଶିଖି ଯାଇଥିଲେ । ତାଙ୍କର ଏଭଳି ଆଗ୍ରହ ଦେଖି ଜେଜେ ଏବଂ ବାପାମା’ ଶ୍ରେୟାଂଶୀଙ୍କୁ ଏ ଦିଗରେ ଉତ୍ସାହିତ କରୁଥିଲେ । ଖୁବ୍ କମ୍ ଦିନରେ ଅତି ସ୍ପଷ୍ଟ ଭାବେ ବୈଦିକ ମନ୍ତ୍ର ଓ ଶ୍ଲୋକ ଉଚ୍ଚାରଣ କରିବା ସହିତ କଣ୍ଠସ୍ଥ କରି ଦେଇଥିଲେ ଶ୍ରେୟାଂଶୀ ।

ତେବେ ସବୁଠାରୁ ବଡ଼ କଥା ହେଲେ ଅଳ୍ପ ବୟସରେ ହିଁ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ଶ୍ରେୟାଂଶୀ । ଗତ ସେପ୍ଟେମ୍ବର ୨୨ ତାରିଖରେ ଶ୍ରେୟାଂଶୀ ମାତ୍ର ୨୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ବୈଦିକ ଶ୍ଲୋକ ଉଚ୍ଚାରଣ କରିଥିଲେ । ଆଉ ଏଥିପାଇଁ ସମ୍ମାନ ପ୍ରଦାନ କରାଯାଇଛି । ବିବି ବୋଲି ଡାକୁଥିବା ଜେଜେ ରଶ୍ମୀରଞ୍ଜନ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିବା ସହିତ ଆଗକୁ ଅଧିକ ରେକର୍ଡର ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହିଛନ୍ତି ଶ୍ରେୟାଂଶୀ ।

ସେହିପରି ଶ୍ରେୟାଂଶୀଙ୍କ ପ୍ରତିଭା ଓ ବିରଳ କୃତିତ୍ୱ ପାଇଁ ତାଙ୍କ ବାପାମା’ଙ୍କ ସମେତ ପୂରା ପରିବାର ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ସମସ୍ତ ସହଯୋଗ କରିବା ସହିତ ଆଗକୁ ସେ ଯେଉଁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁବେ । ପରିବାର ତରଫରୁ ସଂପୂର୍ଣ୍ଣ ସହଯୋଗ ରହିବ ବୋଲି କହିଛନ୍ତି ମାତା,ପିତା ଓ ଜେଜେ । କୁନି ଝିଅ ଶ୍ରେୟାଂଶୀଙ୍କ ବିରଳ ପ୍ରତିଭା ତାଙ୍କୁ ମାତ୍ର ୭ ବର୍ଷରେ ସମସ୍ତଙ୍କ ନିକଟରେ ପରିଚିତ କରାଇଛି । ଆଗକୁ ସେ ତାଙ୍କର ଅଧ୍ୟବସାୟ ବଳରେ ଅଧିକରୁ ଅଧିକ ସଫଳ ହେବେ ବୋଲି ଆଶା କରାଯାଉଛି ।