• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାରାଦୀପ: ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍‌ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍‌ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା। ଯେଉଁଥିରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୬ ଜଣ କ୍ରିଉ ମେମ୍ବର୍ସଙ୍କୁ ଉଦ୍ଧାର କରାଯାଇଥିଲା। 

ଜାଲ୍ କାଗଜପତ୍ରରେ ଜାହାଜରେ ବିଦେଶକୁ ଲୁହାପଥର ଚୋରା ଚାଲାଣ ହେଉଥିବା ବେଳେ  ଜାହାଜର କାଗଜପତ୍ର ବି ନକଲି ଥିବା ଜଣାପଡିଥିଲା। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି। ଏହି ଜାହାଜ ଦୁର୍ଘଟଣାକୁ ନେଇ ଅତୀତରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି ଓ ବିଧାନସଭାରେ ଝଡ଼ ଉଠିଛି। ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏ ମାମଲା ଯାଇଛି। ଏପରିକି କ୍ରାଇମବ୍ରାଞ୍ଚ ତଦନ୍ତରୁ ସିବିଆଇ ତଦନ୍ତ ବି ହୋଇଛି। ତେବେ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ଏବେ କେଉଁଠି କିଭଳି ଅବସ୍ଥାରେ ଅଟକିଛି ତାହା ସ୍ପଷ୍ଟ ହୋଇନାହିଁ।

ଇତି ମଧ୍ୟରେ ୧୨ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଜାହାଜ ଆଉ ଦେଖାଯାଉନି। ଗତ ପ୍ରାୟ ୨-୩ ବର୍ଷ ହୋଇ ଗଲାଣି ପାଣି ଭିତରେ ଲୁଚି ଗଲାଣି ଜାହାଜଟି। ଫଳରେ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସେଥିରେ ପିଟି ହୋଇ ଏକାଧିକ ଥର ମାଛଧରା ଟ୍ରଲର ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ବି ହେଉଛି। ଜାହାଜକୁ କାଟି ପାଣିରୁ ହଟାଇବା ଯୋଜନା ବି ନାହିଁ। କାରଣ ଅତୀତରେ ପାରାଦୀପ ବନ୍ଦର ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି। ଯାହା ଏଯାଏ ଭରଣା ହୋଇନି। ଜାହାଜଟିକୁ ପାଣିରୁ ହଟାଇବାକୁ ହେଲେ ପୁଣି ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।ଏଠାରେ ପ୍ରଶ୍ନ ଉଠୁଛି ଅଧିକ ଖର୍ଚ୍ଚାନ୍ତ ହେବା ଆଶଙ୍କାରେ ସେଥିରେ ହାତ ମାରୁ ନାହାନ୍ତି କି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ? ତେବେ ଏଭଳି ପରିସ୍ଥିତିରେ ବ୍ଲାକରୋଜ୍ ବୁଡ଼ିବା ପଛର ରହସ୍ୟ ଉପରୁ ପରଦା ହଟିପାରିବ ନା ନାହିଁ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।