• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ସୋମବାର ରାତିରେ କାବୁଲରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ମହିଳାମାନେ ଆଇଏସଆଇ ମୁଖ୍ୟ ଏବଂ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି। ବିକ୍ଷୋଭକାରୀମାନେ ପାକିସ୍ତାନ ମୁର୍ଦ୍ଦାବାଦର ସ୍ଲୋଗାନ ଦେବା ସହ ଆଇଏସଆଇ ମୁଖ୍ୟ ‍ଫୈଜ୍ ହେମିଦ ସ୍ୱଦେଶ ଫେରନ୍ତୁ ବୋଲି ଦାବି କରିଛନ୍ତି ।

ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ପ୍ରଥମ ଥର କାବୁଲରେ ଗୁଞ୍ଜରିତ ହେଉଛି ପାକ୍ ବିରୋଧୀ ନାରା । ରାତିରେ ମହିଳାମାନେ ରାସ୍ତାକୁ ଲହ୍ଲାଇବା ସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ​​ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା ।

ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି । ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି ।

ସେପଟେ ପଞ୍ଜଶିରରେ ଶେଷ ହୋଇନି ଯୁଦ୍ଧ । ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗତକାଲି ତାଲିବାନ୍ ପଞ୍ଜଶିର ଦଖଲ କଲା ‍ବୋଲି ଖବର ଆସିଥିଲା । ହେଲେ ତାଲିବାନର ଦାବିକୁ ଅଗ୍ରାହ୍ୟ କରିଥିଲା ନର୍ଦ୍ଦନ ଆଲାଏନ୍ସ । ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା ।