• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଇତିହାସ ସାକ୍ଷୀ, ଆଫ୍‌ଗାନବାସୀଙ୍କୁ ଶାସନ କରିବା ସହଜ ନୁହେଁ ! 

  • ଆଫ୍‌ଗାନବାସୀଙ୍କୁ କେହି ସଂପୂର୍ଣ୍ଣ ଭାବେ ଦଖଲ କରି ଶାସନ କରିପାରି ନାହାନ୍ତି ।

  • ସ୍ୱାଧୀନ ଚେତା ଆଫ୍‌ଗାନବାସୀଙ୍କୁ କରାୟତ କରିବା ଏତେ ସହଜ ନୁହେଁ । 

ଇତିହାସ କୁହେ ପଂଜାବ କେଶରୀ ମହାରାଜା ରଣଜିତ ସିଂହଙ୍କୁ ଛାଡ଼ି ଆଫଗାନିସ୍ତାନକୁ କେହି ସଂପୂର୍ଣ୍ଣ ଭାବେ ଦଖଲ କରି ଶାସନ କରିପାରି ନାହାନ୍ତି । ସ୍ୱାଧୀନ ଚେତା ଆଫଗାନଙ୍କୁ କରାୟତ କରିବା ଏତେ ସହଜ ନୁହେଁ । ଗତ ୪୦ ବର୍ଷରେ ବିଶ୍ୱର ଦୁଇଟି ମହାଶକ୍ତି ଆମେରିକା ଓ ରୁଷ ମଧ୍ୟ ହାର ମାନିଛନ୍ତି । ତାଲିବାନ ମଧ୍ୟ ସେଇ ପରିସ୍ଥିତିର ସମ୍ମୁଖୀନ ହୋଇପାରେ । କାରଣ ତାଲିବାନର ବର୍ବରତାକୁ ନ ଡରି ଏବେ ବିଭିନ୍ନ ସ୍ଥାନରେ ଦେଖାଦେଲାଣି ବିରୋଧର ସ୍ୱର । ଆଶ୍ଚର୍ଯ୍ୟର କଥା କେତେକ ସ୍ଥାନରେ ଏହାର ନେତୃତ୍ୱ ନେଉଛନ୍ତି ମହିଳାମାନେ ।  

ବନ୍ଧୁକ ମୂନରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେଇଛି ସତ, ହେଲେ ସ୍ୱାଧୀନଚେତା ଆଫଗାନବାସୀଙ୍କୁ ଦଖଲ କରିପାରିବା ସଂଗଠନ ପାଇଁ ଏତେ ସହଜ ନୁହେଁ । ଏକଥା ବୟାନ କରୁଛି ବର୍ତ୍ତମାନ ଆଫଗାନ୍‌ର ଚିତ୍ର । ବର୍ବରତାର ପ୍ରତୀକ ପାଲଟିଥିବା ତାଲିବାନକୁ ଖାତିର ନ କରି ବିଭିନ୍ନ ସ୍ଥାନରେ ଜୋରଦାର୍ ବିକ୍ଷୋଭ । କେଉଁଠି ମହିଳାମାନେ ଏହାର ନେତୃତ୍ୱ ନେଉଛନ୍ତି, କେଉଁଠି ବାଇକ୍ ରାଲି ତ ପୁଣି କେଉଁଠି ଶହ ଶହ ମିଟର ଲମ୍ବର ଜାତୀୟ ପତାକା ଧରି ଲୋକଙ୍କ ବିକ୍ଷୋଭ ।

ସଂଯୋଗକୁ ଆଜି ହେଉଛି ଆଫଗାନିସ୍ତାନର ସ୍ୱାଧୀନତା ଦିବସ । ସହର ମଝିରେ ଏକାଠି ହୋଇ, ଜାତୀୟ ପତାକା ଉଡ଼ାଇ ତାଲିବାନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଆଫଗାନବାସୀ । ସେହିପରି ଜାତୀୟ ସଂଗୀତ ଗାନ କରି ଶୋଭାଯାତ୍ରା କରିଛନ୍ତି ହଜାର ହଜାର ଲୋକ । ସ୍ୱାଧୀନଚେତା ଲୋକେ ରାଜରାସ୍ତାକୁ ଓହ୍ଲାଇ ଖୋଲାଖୋଲି ତାଲିବାନକୁ ବିରୋଧ କରିଛନ୍ତି । ଏହାକୁ ଦମନ କରିବା ପାଇଁ ଆସଦାବାଦ ସହରରେ ତାଲିବାନୀ ଯୋଦ୍ଧା ଗୁଳି ଚାଳନା କରିଥିବା ଜଣାପଡ଼ିଛି । ଗୁଳି ଚାଳନା ଓ ଦଳାଚକଟାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିିଳିଛି । ତଥାପି ଲୋକେ ଡରି ନାହାନ୍ତି । ତାଲିବାନ ବନ୍ଧୁକଧାରୀଙ୍କ ସାମ୍ନାରେ ଛାତି ପତାଇ ଠିଆ ହୋଇଛନ୍ତି । ଜଲାଲାବାଦରେ ମଧ୍ୟ ତେଜିବାରେ ଲାଗିଛି ତାଲିବାନ ବିରୋଧୀ ସ୍ୱର ।

ସେପଟେ କାବୁଲ ଏୟାରପୋର୍ଟରେ ଆମେରିକୀୟ ସୈନ୍ୟଙ୍କ କଡ଼ା ପହରା । ଆଉ ଜାରି ରହିଛି ବିକଳ ସ୍ଥିତି । କୌଣସି ପ୍ରକାରେ ଏୟାରପୋର୍ଟକୁ ପ୍ରବେଶ କରି ଆଫଗାନିସ୍ତାନ ଛାଡ଼ି ବିଦେଶକୁ ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି ଲୋକେ । ସେଥିପାଇଁ ବିମାନ ବନ୍ଦର ବାହାରେ ହଜାର ହଜାର ଲୋକ । ବିମାବନ୍ଦର ବାହାରେ ମହିଳାମାନେ କାକୁତି ମିନତି ହୋଇ ଭିରତକୁ ଛାଡ଼ି ଦେବାକୁ ଆମେରିକୀୟ ସୈନ୍ୟଙ୍କୁ ଅନୁରୋଧ କରୁଛନ୍ତି । ଏମିତିକି ଜଣେ କଣ୍ଟା ତାର ଦିଆ ପାଚେରୀ ଡେଇଁବାକୁ ଚେଷ୍ଟା କରୁଛନ୍ତି ।

ଖଲି ସେତିକି ନୁହେଁ ଏମିତି ବି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେ, ଜଣେ ମା ଏୟାରପୋର୍ଟ ପାଚେରି ଆରପଟୁ ନିଜର ଛୋଟ ଛୁଆକୁ ଜଣେ ଆମେରିକୀୟ ସୈନ୍ୟଙ୍କୁ ହସ୍ତାନ୍ତର କରି ଦେବାକୁ ଚେଷ୍ଟା କରୁଛି । ଆଶା, ନିଜେ ନ ହେଲା ନାହିଁ, ଛୁଆଟି ଅନ୍ତତଃ ବଞ୍ଚିଯାଉ ।

ଆଫଗାନିସ୍ତାନର ସାଧାରଣ ଲୋକେ ସାହାସ ଦେଖାଇ ତାଲିବାନକୁ ଖୋଲାଖୋଲି ବିରୋଧ କରୁଥିବା ବେଳେ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ପଳାୟନକୁ ନେଇ ସେଠାକାର ଲୋକେ ବହୁତ କ୍ଷୁବ୍ଧ । ୟୁଏଇକୁ ପଳାୟନ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଅସହାୟ ଘନି । କହିଛନ୍ତି, ଯଦି ସେ ଦେଶ ଛାଡ଼ିନଥାନ୍ତେ, ତାଙ୍କୁ ଫାଶି ଦେଇ ଖୁଣ୍ଟରେ ଝୁଲାଇ ଦେଇଥାନ୍ତା ତାଲିବାନ । କାରଣ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଜିବୁଲ୍ଲାଙ୍କୁ ୧୯୯୬ରେ ସେମିତି ହିଁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ଦେଶ ଛାଡ଼ିବାକୁ ଚାହୁଁନଥିଲେ ମଧ୍ୟ ରକ୍ତପାତ ଏଡାଇବାକୁ ସୁରକ୍ଷାକର୍ମୀଙ୍କ ପରାମର୍ଶରେ ସେ ୟୁଏଇ ପଳାଇଥିବା ସଫେଇ ଦେଇଛନ୍ତି । ଏପରିକି ଚପଲ ମଧ୍ୟ ବଦଳାଇ ପାରିନଥିବା କହିଛନ୍ତି । ତେବେ ବିପୁଳ ପରିମାଣର ଟଙ୍କା ନେଇ ଦେଶ ଛାଡିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଘନି । ସେପଟେ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ନ ହୋଇ କାଉନସିଲ୍ ମେମ୍ବରଙ୍କୁ ନେଇ ସରକାର ଗଠନ ହେବ ବୋଲି ସଂକେତ ଦେଇଛନ୍ତି ସର୍ବୋଚ୍ଚ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମୀ ।