• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୋତେ କିମ୍ବା ମୋ ପରିବାରକୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି

  • ସେମାନେ ଆସିବେ ଆଉ ମୋ ଭଳି ଲୋକଙ୍କୁ ଆସି ହତ୍ୟା କରିବେ

  • ନିର୍ଭିକ ବୟାନ୍ ଦେଲେ ଆଫଗାନିସ୍ତାନର ପ୍ରଥମ ମହିଳା ମେୟର ଜରିଫା ଗଫାରି

କାବୁଲ : ’ମୁଁ ଘରେ ବସି ସେମାନଙ୍କ ପାଇଁ ଅପେକ୍ଷା କରିଛି । ମୋତେ କିମ୍ବା ମୋ ପରିବାରକୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି । ମୁଁ କେବଳ ମୋ ସ୍ୱାମୀ ଓ ପରିବାର ସହ ବସିଛି । ସେମାନେ ଆସିବେ ଆଉ ମୋ ଭଳି ଲୋକଙ୍କୁ ଆସି ହତ୍ୟା କରିବେ । ତାଲିବାନ୍ ଦ୍ୱାରା କାବୁଲ ଅକ୍ତିଆର କରିବା ପରେ ଏକ ନ୍ୟୁଜ ୱେବସାଇଟ ସହ ଆଲୋଚନା ସମୟରେ ଏପରି ନିର୍ଭିକ ବୟାନ୍  ଦେଇଛନ୍ତି ଆଫଗାନିସ୍ତାନର ପ୍ରଥମ ତଥା ସର୍ବ କନିଷ୍ଠ ମହିଳା ମେୟର ଜରିଫା ଗଫାରି ।

ମୃତ୍ୟୁ ଆସନ୍ନ । ହେଲେ ସେ ନିର୍ଭିକ ଆଉ ନିଶ୍ଚଳ । ଆଖି ଆଗରେ ସ୍ୱାମୀଙ୍କୁ ହତ୍ୟା କରିପାରନ୍ତି. . .ପିଲାଙ୍କ ଉପରେ ଅତ୍ୟାଚାର କରିପାରନ୍ତି । ତାଲିବାନୀ କୌଣସି ବି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି । ତଥାପି ଦମ୍ଭ ଧରି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନକୁ ନଡରି ନିଜ ମତ ପ୍ରକାଶ କରିଛନ୍ତି ଜରିଫା ଗଫାରି । କଥା କହିଲା ବେଳେ ଗଳା ଭାରି ହୋଇଯାଉଛି । ହେଲେ ଉପାୟ ନାହିଁ । ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟ ସିନା ରାଷ୍ଟ୍ର ଦାୟିତ୍ୱ ଛାଡ଼ି ପଳାୟନ କଲେ । ହେଲେ ମୁଁ ମୋ ପରିବାରକୁ ଛାଡ଼ି କୁଆଡ଼େ ଯିବି ବୋଲି ସେ କହିଛନ୍ତି ।

୨୭ ବର୍ଷିୟ ଜରିଫା ଗଫାରି ୨୦୧୮ରେ ଆଫଗାନିସ୍ତାନର ମୈଇଦାନ ୱାରଦକ ପ୍ରଦେଶର ସର୍ବକନିଷ୍ଠ ତଥା ପ୍ରଥମ ମହିଳା ମେୟର ଭାବରେ ନିର୍ବାଚିତ ହୋଇଥିଲେ । ତାଲିବାନର ପୁନଃ ଆବିର୍ଭାବ ମଧ୍ୟରେ ଗଫାରିଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ଆକ୍ରମଣରେ ଆହତ ହୋଇଥିବା ସୈନିକ ଏବଂ ସାଧାରଣ ନାଗରିକଙ୍କ ଯତ୍ନ ନେବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ବର୍ତ୍ତମାନ ସେ ତାଲିବାନୀଙ୍କୁ ଘରେ ବସି ଅପେକ୍ଷା କରିଛନ୍ତି ।

ଅତୀତରେ ତାଙ୍କୁ ତାଲିବାନ ପକ୍ଷରୁ ମୃତ୍ୟୁ ଧମକ ମିଳିଥିଲା । ଗତ ବର୍ଷ ନଭେମ୍ବର ୧୫ରେ ତାଙ୍କ ପିତା ଜେନେରାଲ ଅବଦୁଲ ୱାସି ଗଫାରିଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆଉ ପିତାଙ୍କ ମୃତ୍ୟୁର ୨୦ ଦିନ ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । କିଛି ଦିନ ପୂର୍ବରୁ ଗଫାରି କହିଥିଲେ, ଦେଶରେ କ’ଣ ଘଟୁଛି ଯୁବଗୋଷ୍ଠୀ ସବୁ ଜାଣନ୍ତି । ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରନ୍ତି, ସେମାନେ ପରସ୍ପର ସହିତ କଥାବାର୍ତ୍ତା କରିପାରିବେ । ଆଗାମୀ ସମୟରେ ସେମାନେ ହିଁ ଦେଶର ପ୍ରଗତି ଏବଂ ଅଧିକାର ପାଇଁ ସଂଗ୍ରାମ ଜାରି ରଖିପାରିବେ ।

ଆଜି ଜରିଫା ଗଫାରି ନିଜକୁ ଅସହାୟ ମନେ କରୁଛନ୍ତି । ନିଜ ଜୀବନ ଏବଂ ପରିବାରର ସୁରକ୍ଷା ପାଇଁ ଭୟଭୀତ ଅଛନ୍ତି । କାବୁଲ ଦଖଲ ପରେ ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସହ କାର୍ଯ୍ୟ କରୁଥିବା ଲୋକ କିମ୍ବା ଅଧିକାରୀଙ୍କ ଠାରୁ ପ୍ରତିଶୋଧ ନେବେ ନାହିଁ ବୋଲି ତାଲିବାନ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା ବିଶ୍ୱାସଯୋଗ୍ୟ ନୁହେଁ । କାରଣ ଇତିହାସ କହେ ତାଲିବାନୀ ଶାସନର କଥା । 

ସୂଚନାଯୋଗ୍ୟ ତାଲିବାନ ଶାସନରେ ଯୁବତୀ ଓ ମହିଳାମାନେ ସବୁଠୁ ଅଧିକ ବିପଦର ସାମ୍ନା କରିବେ ବୋଲି କୁହାଯାଉଛି । ତାଲିବାନୀ କାନୁନରେ ଝିଅମାନଙ୍କୁ ସ୍କୁଲ ଯିବାକୁ ଦିଆଯାଏ ନାହିଁ । ମହିଳାମାନେ ପାଠ ପଢ଼ିପାରିବେ ନାହିଁ, ପଢ଼ାଇପାରିବେ ନାହିଁ, ଚାକିରୀ କରିପାରିବେ ନାହିଁ । ମହିଳାଙ୍କୁ ଶରୀରକୁ ପୂରା ଢାଙ୍କିଥିବା ପୋଷାକ ବିନା ଏବଂ କୌଣସି ପୁରୁଷଙ୍କୁ ସାଥିରେ ନନେଇ ଘରୁ ଗୋଡ଼ କାଢ଼ିବାର ଅଧିକାର ନାହିଁ ।

ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ଟେକାପଥର ମାଡ଼, ଏମିତିକି ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । କାବୁଲ୍ କବଜା କରିବା ପରେ ତାଲିବାନ ଆତଙ୍କୀ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢାଙ୍କି ଦେଇଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ଅତ୍ୟାଚାର ବଢ଼ିବା ନିଶ୍ଚିତ ବୋଲି ଆଙ୍କା କରାଯାଉଛି । ସେମାନଙ୍କୁ ଘରେ ରହି ମଧ୍ୟ ବନ୍ଦୀ ଜୀବନ କାଟିବାକୁ ପଡ଼ିପାରେ ।