• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲରେ ISIS ଆତଙ୍କୀ ଆଉ ଆମେରିକା ମଧ୍ୟରେ ଛକାପଞ୍ଝା ।

  • ଡ୍ରୋନ୍ ଷ୍ଟ୍ରାଇକ୍ ମାଧ୍ୟମରେ ରକେଟ୍ ଆକ୍ରମଣର ଜବାବ୍ ଦେଲେ ବାଇଡେନ୍ ।

  • ଘନ ଘନ ରକେଟ ମାଡ଼ ଓ ବିସ୍ଫୋରଣ ଭିତରେ ଚାଲିଛି ଏୟାର ଲିଫଟିଂ ।

କାବୁଲରେ ISIS ଆତଙ୍କୀ ଆଉ ଆମେରିକା ମଧ୍ୟରେ ଛକାପଞ୍ଝା । ଡ୍ରୋନ୍ ଷ୍ଟ୍ରାଇକ୍ ମାଧ୍ୟମରେ ରକେଟ୍ ଆକ୍ରମଣର ଜବାବ୍ ଦେଲେ ବାଇଡେନ୍ । ଘନ ଘନ ରକେଟ ମାଡ଼ ଓ ବିସ୍ଫୋରଣ ଭିତରେ ଚାଲିଛି ଆମେରିକାର ଶେଷ ପର୍ଯ୍ୟାୟ ଏୟାର ଲିଫଟିଂ । ଏୟାରପୋର୍ଟ ଅଞ୍ଚଳରେ ଆଉ ଏକ ଆତ୍ମଘାତୀ ଆକ୍ରମଣ ଲାଗି ଗତକାଲି ଷଡ଼ଯନ୍ତ୍ର କରିଥିଲେ ଆଇସିସ୍-ଆତଙ୍କୀ । କୁହାଯାଉଛି ଏକ କାରକୁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରି ଏୟାରପୋର୍ଟକୁ ଟାର୍ଗେଟ୍ କରିବାକୁ ଯୋଜନା ଥିଲା ।

ତେବେ ସୂଚନା ପାଇଁ ଡ୍ରୋନ ଆକ୍ରମଣ କରିଥିଲା ଆମେରିକା । ଏଥିରେ ବିସ୍ଫୋରକ ବୋଝେଇ କାରଟି ଧ୍ୱଂସ ପାଇଥିବା ବେଳେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ତାଲିବାନ କହିଛି । ଏପଟେ ଆଜି ସକାଳୁ ଏୟାରପୋର୍ଟକୁ ଟାର୍ଗେଟ୍ କରି ପାଞ୍ଚ ପାଞ୍ଚଟି ରକେଟ୍ ମାଡ଼ କରାଯାଇଥିଲା । ତେବେ ଏହାକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରି ଦେଇଥିଲା ଆମେରିକାର ଆଣ୍ଟି ମିଜାଇଲ୍ ସିଷ୍ଟମ୍ ।

ଏଭଳି ଆକ୍ରମଣ-ପ୍ରତିଆକ୍ରମଣ ଭିତରେ ଏୟାର ଲିଫଟିଂ ପ୍ରକ୍ରିୟା ଶେଷ କରିବାକୁ ଉଦ୍ୟମ ଚଳାଇଛନ୍ତି ଆମେରିକୀୟ ସୈନ୍ୟ । ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ଅବଶିଷ୍ଟ ସୈନ୍ୟ ଓ ଆମେରିକାକୁ ସହଯୋଗ କରିଥିବା ଆଉ କିଛି ଆଫଗାନ ନାଗରିକଙ୍କୁ ଶେଷ ପର୍ଯ୍ୟାୟରେ ଉଦ୍ଧାର କରାଯିବ ।

ଏପଟେ ସରକାର ଗଠନ ପୂର୍ବରୁ କଟ୍ଟର ଛବି ବଦଳାଇ ବିଶ୍ୱ ଆଗରେ ନିଜକୁ ନରମପନ୍ଥୀ ଭାବେ ଉପସ୍ଥାପନ କରିବାକୁ ଚାହୁଁଥିବା ତାଲିବାନ୍ ଭାରତ ସହ ଉତ୍ତମ ସଂପର୍କ ପ୍ରତିଷ୍ଠା ନେଇ ଇଙ୍ଗିତ କରିଛି । ଭାରତର ଭୂମିକା ଆଫଗାନିସ୍ତାନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ପାକିସ୍ତାନ ଦେଇ ବାଣିଜ୍ୟ ଜାରି ରଖିବାକୁ ଚାହୁଁଛି ତାଲିବାନ । ୪୬ ମିନିଟ୍‌ରେ ଏକ ଭିଡିଓ ମେସେଜ୍‌ରେ ଦୋହା ସ୍ଥିତ ତାଲିବାନୀ କାର୍ଯ୍ୟାଳୟର ଉପମୁଖ୍ୟ ମହମ୍ମଦ ଆବାସ ସ୍ତାନିକ୍‌ଯାୟୀ କହିଛନ୍ତିି ଭାରତ ସହ ଆଫଗାନିସ୍ତାନର ପୂର୍ବରୁ ଯେଉଁଭଳି ସାଂସ୍କୃତିକ, ରାଜନୈତିକ, ଆର୍ଥିକ ଏବଂ ବାଣିଜ୍ୟ ସଂପର୍କ ଥିଲା । ତାହା ବଜାୟ ରଖିବାକୁ ତାଲିବାନ୍ ଚାହେଁ ।

ସେହିପରି କାଶ୍ମୀରକୁ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା କହିବା ସହ ଏଥିରେ ତାଲିବାନ୍ ଆଦୌ ମୁଣ୍ଡ ଖେଳାଇବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ ବୈଦେଶିକ ବିଶେଷଜ୍ଞ ମତ, ତାଲିବାନ୍‌କୁ ବିଶ୍ୱାସ କରି ହେବ ନାହିଁ । ଭାରତ ମାପିଚୁପି ପଦକ୍ଷେପ ନେବା ଉଚିତ୍ ।

ଆସନ୍ତାକାଲି ଡେଡ୍‌ଲାଇନ ପୁରିବା ସହ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ଭାବେ ହଟିଯିବେ ଆମେରିକା ଓ ନାଟୋ ଫୋର୍ସ । ତେବେ ଏହା ପରେ ମୁଣ୍ଡ ଟେକିବେ ନାହିଁ ତ ଆତଙ୍କବାଦୀଙ୍କ ସଂଗଠନ । ସେମାନଙ୍କୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବ ତ ତାଲିବାନ । ଆତଙ୍କୀ-ଆତଙ୍କୀ ସଂଘର୍ଷରେ ପୁଣି ବଳି ପଡିବେନି ତ ସାଧାରଣ ଆଫଗାନୀ । ଏସବୁ ଆଶା-ଆଶଙ୍କା ଭିତରେ ତାଲିବାନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସାରା ବିଶ୍ୱର ନଜର ।