• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଖୁବ୍‌ଶୀଘ୍ର ତାଲିବାନ ହାତକୁ ଯିବ ପଞ୍ଜଶିର ।

  • ଚାରିଆଡ଼ୁ ଘେରିସାରିଲାଣି ତାଲିବାନତାଲିବାନ୍‌ ।

ତାଲିବାନ୍‌ର ଟାର୍ଗେଟ୍ ପଞ୍ଜଶିର । ପ୍ରତିରୋଧର ଶେଷ ଉପତ୍ୟକାକୁ ଦଖଲରେ ନେବାକୁ ନର୍ଦ୍ଦନ ଆଲାଏନ୍‌ସ ସହ ତାଲିବାନୀ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତେବେ ଦୁର୍ଗମ ପାହାଡ଼ ଓ ଅଗମ୍ୟ ଘାଟି ଦେଇ ପଞ୍ଜଶିର ପ୍ରବେଶ ସହଜ ନୁହେଁ ବୋଲି ଜାଣିସାରିଛନ୍ତି । ତେଣୁ ତାଲିବାନୀ ଆତଙ୍କୀ ପୁରା ପ୍ରଦେଶକୁ ଚାରିପଟୁ ଘେରି ଯୋଗାଯୋଗର ସବୁ ବାଟ ବନ୍ଦ କରି ଦେଇଥିବା କୁହାଯାଉଛି । ନର୍ଦ୍ଦନ ଆଲାଏନ୍‌ସର କମାଣ୍ଡର ଅହମ୍ମଦ ମସୁଦ ସହ ମିଶି ତାଲିବାନ ବିରୋଧୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଆଫ୍‌ଗାନ୍‌ ଉପରାଷ୍ଟ୍ରପତି ଅମରୁଲାହ ସାଲେହ ମଧ୍ୟ ମାନିଛନ୍ତି ଯେ ପଞ୍ଜଶିରର ପ୍ରବେଶ ପଥକୁ ତାଲିବାନୀ ଘେରି ରହିଛନ୍ତି । ଫଳରେ ସପ୍ଲାଏ ଚେନ୍ ବନ୍ଦ ହୋଇଯିବାରୁ ଆଗକୁ ପଞ୍ଜଶିର ମଧ୍ୟ ତାଲିବାନ୍ କବ୍‌ଜାକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏଭଳି ସ୍ଥିତିରେ ମହମ୍ମଦ ମସୁଦ୍, ଗୋଟିଏ ପଟେ ତାଲିବାନୀ ସହ ବୁଝାମଣା ନେଇ ଆଶାବାଦୀ ଥିବା କହୁଥିବା ବେଳେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି । ତେବେ ଏହା ଭିତରେ ନର୍ଦ୍ଦନ ଆଲାଏନ୍‌ସକୁ ସହଯୋଗ କରିବାକୁ ତାଜାକିସ୍ତାନରୁ ତିନିଟି ହେଲିକପ୍ଟର ପଞ୍ଜଶିର ପହଞ୍ଚିଥିବାରୁ ଲଢ଼େଇ ଲମ୍ବା ହେବ ବୋଲି ଆଶା କରାଯାଉଛି ।

ଏପଟେ ତାଲିବାନୀ ଆତଙ୍କରୁ ବର୍ତ୍ତିବାକୁ କାବୁଲ୍ ଏୟାରପୋର୍ଟରେ ଆଫଗାନବାସୀଙ୍କ ବିକଳ ପ୍ରୟାସ ଭିତରେ ଆଜି ଆସିଛି ବିମାନ ଅପହରଣ ଖବର । ଲୋକଙ୍କୁ ଉଦ୍ଧାର ପାଇଁ କାବୁଲ୍ ବିମାନବନ୍ଦର ଆସିଥିବା ୟୁକ୍ରେନ୍‌ର ଏକ ବିମାନକୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ କରି ନେଇଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ବିମାନଟି କାବୁଲ୍ ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏହାକୁ ହାଇଜାକ୍ କରି ଇରାନ୍ ନିଆଯାଇଥିବା କୁହାଯାଉଛି ।

ଅପରପକ୍ଷେ ଯୁଦ୍ଧଗ୍ରସ୍ତ କାବୁଲରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ବି ଜୋରଦାର ହୋଇଛି । ଭାରତ ଏହାର ନାଁ ଦେଇଛି ଅପରେସନ୍ ଦେବୀ ଶକ୍ତି । ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୂଚନା ଅନୁଯାୟୀ ଅପରେସନ୍ ଦେବୀ ଶକ୍ତି ଜରିଆରେ ଆଜି କାବୁଲରୁ ତାଜାକିସ୍ତାନ ଦେଇ ୨୫ ଭାରତୀୟଙ୍କ ସହ ୭୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଦେବୀଶକ୍ତି ଅପରେସନ୍‌ରେ ଏପର୍ଯ୍ୟନ୍ତ ତାଲିବାନ୍ କବଳିତ ଆଫଗାନିସ୍ତାନରୁ ୮ ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଗତକାଲି ୭୫ ଜଣ ଶିଖଙ୍କୁ ଉଦ୍ଧାର କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଅପରସେନ୍ ଦେବୀ ଶକ୍ତି ବଳରେ ଆଫଗାନିସ୍ତାନରୁ ଆସିଥିବା ଶିଖ୍ ଧର୍ମର ପବିତ୍ର ଗ୍ରନ୍ଥଗୁରୁ ଗ୍ରନ୍ଥ ସାହିବର ତିନିଟି ଖଣ୍ଡକୁୁ ଭାରତ ଅଣାଯାଇଛି । ଏହାକୁ ସମ୍ମାନର ସହ ଗ୍ରହଣ କରିବା ସହ ମୁଣ୍ଡରେ ବୋହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ।

ଏପଟେ ପାକିସ୍ତାନ ଉପରେ ବର୍ଷିଛନ୍ତି ତାଲିବାନ୍ ପଞ୍ଝାରୁ ଦିଲ୍ଲୀ ଖସି ଆସିଥିବା ପ୍ରତିଷ୍ଠିତ ଆଫ୍‌ଗାନ୍ ପପ୍ ଗାୟିକା ଆର୍ୟାନା ସୟିଦ୍ । ପାକିସ୍ତାନ ତାଲିବାନୀ ଆତଙ୍କୀଙ୍କୁ ସମସ୍ତ ସହାୟତା ଓ ପ୍ରଶିକ୍ଷଣ ଦେଇ ଆସୁଥିବା କହି ବିଶ୍ୱ ସମୂହ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲେ ଯାଇ ତାଲିବାନ୍‌ର ଆତଙ୍କୀ କାର୍ଯ୍ୟକଳାପ ଉପରେ ରୋକ୍ ଲାଗିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିପଦ ବେଳେ ସହାୟତା ପାଇଁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ଗତକାଲି ଆଫ୍‌ଗାନ୍‌ ପ୍ରସଙ୍ଗରେ ଜର୍ମାନ୍ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ସହ କଥା ହେବା ପରେ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦ୍‌ଦମିର ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା ।