• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ ।

  • ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରିଛନ୍ତି । 

କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି । ଗତ ୨୦ ବର୍ଷ ଧରି ମହିଳାମାନେ ଦେଶରେ ଯେଉଁ ଅଧିକାର ପାଇଥିଲେ, ସେହି ଅଧିକାର ମିଳୁ ବୋଲି ଦାବି ଉଠାଇଛନ୍ତି । ଶିକ୍ଷା ଅଧିକାର, କାମ କରିବାକୁ ଅଧିକାର, ରାଜନୈତିକ କ୍ଷେତ୍ରରେ ଭାଗିଦାରୀ, ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ବର୍ତ୍ତମାନ ଦେଶରେ ପ୍ରଚଳିତ ସମ୍ବିଧାନ ଅନୁଯାୟୀ ଏହି ସମସ୍ତ ସୁବିଧା ପ୍ରଦାନ ପାଇଁ ମହିଳାମାନେ ସ୍ୱର ଉଠାଇଛନ୍ତି ।

ଆଫଗାନିସ୍ତାନ ମହିଳାମାନଙ୍କ ମୌଳିକ ଅଧିକାର ପାଇଁ ଏମାନେ କାବୁଲ ରାଜରାସ୍ତାରେ ଏହି ଦାବି ଉଠାଇଛନ୍ତି । ଏହାଛଡ଼ା କୌଣସି ଶକ୍ତି ଆଫଗାନୀ ମହିଳାଙ୍କୁ ଚୁପ୍ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି । ଏହି ଆନ୍ଦୋଳନକାରୀ ବିଗତ ୨୦ ବର୍ଷରେ ମହିଳାଙ୍କ ସଫଳତାଙ୍କୁ ନଜରଅନ୍ଦାଜ କରାଯାଇପାରିବ ନାହିଁ ବୋଲି ପ୍ଲାକାର୍ଡ ଦେଖାଇ ନିଜର ଦାବି ଉଠାଇଛନ୍ତି ।

ସେପଟେ ତାଲିବାନର ବର୍ବରତାକୁ ମନେପକାଇ ସାରା ଆଫଗାନବାସୀ ଭୟରେ ଥରୁଥିବା ବେଳେ ମଙ୍ଗଳବାର ପ୍ରଥମ ଥର ପାଇଁ ତାଲିବାନ ପକ୍ଷରୁ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଏଥିରେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଥିବା ପରି ମନେ ହେଉଥିଲା । ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିବା ସହ ସମସ୍ତ ଦୂତାବାସର ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏପରିକି ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଥିଲେ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି । ପୁଣି ତାଲିବାନୀ ବର୍ବରତା ସାମ୍ନାକୁ ଆସିଛି ।

ତାଲିବାନ ଭୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାଇବାକୁ ଚାହୁଁଥିବା ବେଳେ ଜଣେ ୨୫ ବର୍ଷୀୟ ଯୁବତୀ ତାଲିବାନୀ ବର୍ବରତାର ଶିକାର ହୋଇଛନ୍ତି । ଯୁବତୀଙ୍କ କହିବା ଅନୁଯାୟୀ ଏହି ଘଟଣା ଜୁଲାଇ ୧୨ ତାରିଖର । 

ନାଜିଆ(ଛଦ୍ମନାମ) ନାମ୍ନୀ ଜଣେ ମହିଳା ନିଜର ୩ ଜଣ ଛୋଟ ଛୋଟ ପୁଅ ଓ ଗୋଟିଏ ଝିଅ ସହ ଉତ୍ତରୀ ଆଫଗାନିସ୍ଥାନର ଏକ ଛୋଟ ଗାଁରେ ରହୁଥିଲେ । ତାଲିବାନ ସେନା ତାଙ୍କ ଘରେ ଜବରଦସ୍ତ ପଶି ତାଙ୍କୁ ହତ୍ୟା କରିଥିଲେ । ନାଜିଆଙ୍କ ୨୫ ବର୍ଷୀୟ ଝିଅ ମନୀଜା କହିଛନ୍ତି, ପ୍ରାୟ ୧୫ ଜଣ ତାଲିବାନୀ ତାଙ୍କ ଘରକୁ ଧସେଇ ପଶିଥିଲେ ଏବଂ ମା’ଙ୍କୁ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ବାଧ୍ୟ କରିଥିଲେ । 

CNNକୁ ସାକ୍ଷାତ ଦେଇ ମନୀଜା କହିଛନ୍ତି, ‘ମା’ ଖୁବ ଭୟଭୀତ ହୋଇ ପଡ଼ିଥିଲେ । ତଥାପି ସେ କହିଥିଲେ, ମୁଁ ବହୁତ ଗରିବ । ଏତେ ଲୋକଙ୍କ ପାଇଁ କେଉଁଠୁ ଖାଦ୍ୟ ଆଣିବି ? ଏତିକି ଶୁଣିବା ପରେ ତାଲିବାନମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ତାଙ୍କର ମା’ ତଳେ ପଡ଼ିଗଲେ । ପରେ ତାଲିବାନୀମାନେ ଏକେ-୪୭ରେ ଗୁଳି କରିଥିଲେ ।’