• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲ କବ୍‌ଜା କରୁ କରୁ ନିଜ ଭାରତ ବିରୋଧୀ ମନୋଭାବ ।

  • ଭାରତ ସହ ସମସ୍ତ ଟ୍ରେଡିଂକୁ ନିଷିଦ୍ଧ କରିଛି ତାଲିବାନ ।

  • କଠୋର ପଦକ୍ଷେପ ନେଇଛନ୍ତି ଆମେରିକା, ୟୁରୋପୀୟ ସଂଘ ଏବଂ ଆଇଏମଏଫ୍ ।

କାବୁଲ କବ୍‌ଜା କରୁ କରୁ ନିଜ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ କରିଛି ତାଲିବାନ । ଭାରତ ସହ ସମସ୍ତ ଟ୍ରେଡିଂକୁ ନିଷିଦ୍ଧ କରିଛି । ଏହି ଆତଙ୍କୀ ସଂଗଠନ । ରପ୍ତାନୀ ବନ୍ଦ ହେବା ଦ୍ୱାରା ଆଫଗାନିସ୍ତାନ ସହ ହଜାର ହଜାର କୋଟିର କାରବାର କରୁଥିବା ଆମ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ । ତାସହିତ ଭାରତୀୟ ବଜାରରେ ଡ୍ରାଏ ଫ୍ରୁଟ୍ ସମେତ ଆଫଗାନିସ୍ତାନରୁ ଆସୁଥିବା ଅନ୍ୟାନ୍ୟ ସମଗ୍ରୀର ଦର ବି ବଢିଯାଇଛି । ତେବେ ତାଲିବାନ ସରକାର ଗଢିବା ପରେ ଭାରତର ଗୁରୁତ୍ୱ ବୁଝିବା ସହ ନିଷ୍ପତ୍ତିର ପୁନର୍ବିଚାର ଲାଗି ବାଧ୍ୟ ହେବ ବୋଲି କୁହାଯାଉଛି ।

କାବୁଲରେ ସରକାର ଗଠନ ନକରୁଣୁ, କିଏ ସରକାରର ନେତୃତ୍ୱ ନେବେ ତାହା ସ୍ପଷ୍ଟ ନହେଉଣୁ ଏଭଳି ଏକପାଖିଆ ନିଷ୍ପତ୍ତି ନେଇଛି ଏହି ଆତଙ୍କୀ ସଂଗଠନ । ଆଫଗାନିସ୍ତାନ ସରକାରଙ୍କ ସହଯୋଗୀ ଭାବେ ଭାରତ ଏଠାରେ ୩ ଶହ କୋଟିରୁ ଅଧିକ ଡଲାର ମୂଲ୍ୟର ବିକାଶ ଯୋଜନା ହାତକୁ ନେଇଥିଲା । ମାତ୍ର ଅସ୍ରଫ୍ ଘନି ସରକାରର ପତ୍ତନ ଓ ତାଲିବାନର କାବୁଲ ଦଖଲ ପରେ ଭାରତୀୟ ପ୍ରକଳ୍ପଗୁଡିକର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ଏଣେ କାହାରିକୁ ଶତ୍ରୁ ଭାବେ ବିବେଚନା କରାଯିବ ନାହିଁ ଏବଂ ତାଲିବାନ ମାନବୀୟ ଢଙ୍ଗରେ ଶାସନ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏହାର ପ୍ରଚାର ଓ କାର୍ଯ୍ୟ ଭିତରେ ଢ଼େର ପାର୍ଥକ୍ୟ ରହିଛି । ଭାରତ ବିରୋଧୀ ଆଭିମୁଖ୍ୟରୁ ଏହା ଜଳ ଜଳ ଦିଶୁଛି । ଏଭଳି ସ୍ଥିତିରେ ତାଲିବାନ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ହେଉଛି ଏବେ ତା ଉପରେ ନଜର ରହିଛି ।

ତାଲିବାନ ରପ୍ତାନୀ ଓ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ ବାର୍ଷିକ ହଜାରେରୁ ୧୨ଶହ କୋଟି ଟଙ୍କାର ଲୁଗାପଟା ବିକୁଥିବା ସୁରତର ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି । ତାଲିବାନର ବ୍ୟାନ୍ ପରେ ବାଂଲାଦେଶ, ଦୁବାଇ ଓ ଇରାନ ଦେଇ ଯାଉଥିବା ମାଲ୍‌କୁ ବ୍ୟବସାୟୀ ରାସ୍ତାରେ ଅଟକାଇ ଦେଇଛନ୍ତି । ମାତ୍ର ଯେଉଁ ମାଲ୍ ଆଫ୍‌ଗାନିସ୍ତାନ ପହଞ୍ଚି ସାରିଛି ସେ ବାବଦକୁ କ୍ଷତି ସହିବାକୁ ପଡିବ ବୋଲି ସେମାନେ ଆଶଙ୍କା କରିିଛନ୍ତି । ସେହିପରି ଆମଦାନୀ ବନ୍ଦ ହେବା ଦ୍ୱାରା ଦେଶର ଡ୍ରାଏ ଫ୍ରୁଟ୍ ମାର୍କେଟ୍ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକ ମାଲଗୋଦାମରେ ଖଜୁର,  ଅଖ୍ରୋଟ୍‌, ପିସ୍ତା ଓ ଆଲମଣ୍ଡ ଭଳି ଡ୍ରାଏ ଫ୍ରୁଟର ଦାମ କିଲୋ ପିଛା ୨ଶହରୁ ୪ଶହ ଟଙ୍କା ଯାଏଁ ବଢିଯାଇଛି ।

ଏଣେ ତାଲିବାନ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛନ୍ତି ଆମେରିକା, ୟୁରୋପୀୟ ସଂଘ ଏବଂ ଆଇଏମଏଫ୍ । ଆଫଗାନିସ୍ତାନ ସରକାରଙ୍କ ଲାଗି ଉଦ୍ଦିଷ୍ଟ ସମସ୍ତ ପାଣ୍ଠିକୁ ଫ୍ରିଜ୍ କରିଦିଆଯାଇଛି । ଅର୍ଥାତ୍ ତାଲିବାନ ଏହାକୁ ଖର୍ଚ୍ଚ କରିପାରିବ ନାହିଁ । ତାସହିତ ଦେଶର ଟ୍ରେଜେରି ପ୍ରାୟତଃ ଖାଲି ହୋଇଯାଇଛି । ଅନ୍ୟପକ୍ଷରେ ଡ୍ରଗ୍ସ କାରବାର ଓ ବେଆଇନ ଉପାୟରେ ଅର୍ଥ ଆଦାୟ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି ଆତଙ୍କୀ ସଂଗଠନ । ଶାସନ ଅଭିଜ୍ଞତା ନଥିବା ତାଲିବାନ ଯଦି ବି ସରକାର ଗଠନ କରିବାରେ ସମର୍ଥ ହୁଏ, ତେବେ ବିନା ଅର୍ଥରେ କେମିତି ଦେଶ ଶାସନ କରିବ । ଏବେ ତା ଉପରେ ସାରା ବିଶ୍ୱର ନଜର ରହିଛି ।