• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାଲିବାନ ସରକାରରେ ୨ ଜଣ ଉପପ୍ରଧାନମନ୍ତ୍ରୀ ରହିବେ 

  • ଆମେରିକୀୟ ସୈନ୍ୟ ଦେଶ ଛାଡିବାର ସାତ ଦିନ ପରେ ନୂତନ ସରକାର ଘୋଷଣା

କାବୁଲ : ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ । ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ । ତାଲିବାନ ସରକାରରେ ୨ ଜଣ ଉପପ୍ରଧାନମନ୍ତ୍ରୀ ରହିବେ । ସେମାନେ ହେଲେ ଅବଦୁଲ ଘନି ବରାଦର ଓ ଅବଦୁଲ ସଲାମ ହନାଫି । ଆମେରିକୀୟ ସୈନ୍ୟ ଦେଶ ଛାଡିବାର ସାତ ଦିନ ପରେ ଏହି ସରକାର ଘୋଷଣା କରାଯାଇଛି । ନୂଆ ଆଫଗାନିସ୍ତାନ ସରକାର ଗଠନ ନେଇ ଏହି ସୂଚନା ଦେଇଛନ୍ତି ସଂଗଠନର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁହାଜିଦ ।

କିଛି ଦିନ ପୂର୍ବରୁ ଅବଦୁଲ ଘନି ବରଦାର ତାଲିବାନ୍ ସରକାରରେ ବରିଷ୍ଠ ନେତା ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ନୂତନ ସରକାରରେ ସେ ଦୁଇ ନମ୍ବର ପଦବୀରେ ରହୁଛନ୍ତି । ଜବିହୁଲ୍ଲା ଏକ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଏହି ସରକାର ବର୍ତ୍ତମାନ ପାଇଁ କେବଳ ଏକ କାମଚଳା ସରକାର ହେବ ମୁଜାହିଦ । ସିରାଜୁଦ୍ଦିନ ହକାନିଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀର ଦାୟିତ୍ୱ ମିଳିଛି । ସେହିପରି ଅର୍ଥ ମନ୍ତ୍ରୀ ହେବେ ହେଦାୟତୁଲ୍ଲା ବଦ୍ରି । ଆମିର ଖାନ ମୁତ୍ତାକିଙ୍କୁ ବୈଦେଶିକ ମନ୍ତ୍ରୀ ପଦ ମିଳିଥିବା ବେଳେ ଅବାସ ଷ୍ଟାନିକଜାଇ ହେବେ ଉପ ବୈଦେଶିକ ମନ୍ତ୍ରୀ ।

ଅଗଷ୍ଟ ୧୫ରେ କାବୁଲ ଦଖଲ ସହିତ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସରକାର ଗଠନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କେମିତି ହେବ ତାଲିବାନ ସରକାର ସ୍ୱରୂପ, ସେ ନେଇ ନାନା ଆକଳନ କରାଯାଉଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୂଆ ତାଲିବାନ୍ ସରକାରରେ କୌଣସି ମହିଳା ଚେହେରା ଦେଖିବାକୁ ମିଳିନି ।

ସେପଟେ କାମଚଳା ସରକାର ଗଠନକୁ ନେଇ ପ୍ରତିକ୍ରିୟା ରଖିଛି ଆଫଗାନିସ୍ତାନର ନେସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ । ଏଭଳି ସରକାର ଗଠନ ବେଆଇନ୍ । ତାଲିବାନ ଓ ଏହାର ଆତଙ୍କବାଦୀ ସହଯୋଗୀ ମାନଙ୍କ ଦ୍ୱାରା ସରକାର ଗଠନକୁ ଆଫଗାନ ଜନସାଧାରଣ ବିରୋଧ କରିବାକୁ ତାଲିବାନୀ ବିରୋଧୀ ଗୋଷ୍ଠୀ ପକ୍ଷରୁ ଅପିଲ କରାଯାଇଛି । ତାଲିବାନର କ୍ଷମତା ଦଖଲ ଆଫଗାନିସ୍ତାନ ସହ ବିଶ୍ୱର ସ୍ଥିରତା ଓ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ।

ସାଧାରଣ ନିର୍ବାଚନ କରି ଲୋକଙ୍କ ଠାରୁ ଭୋଟ ଗ୍ରହଣ କଲେ ହିଁ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହେବା ସହ ଏହା ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ହେବ । ତାଲିବାନ କରିଥିବା ବଳପୂର୍ବକ କ୍ଷମତା ଦଖଲ ମାନବାଧିକାର ଓ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ କରୁଛି । ତେଣୁ ତାଲିବାନ ସହ କୌଣସି ପ୍ରକାର କୂଟନୈତିକ ସମ୍ପର୍କ ନରଖିବାକୁ ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ସଂଗଠନକୁ ନିବେଦନ କରିଛି ଆଫାଗାନିସ୍ତାନର ନେସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ।