• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଇସ୍କନ୍ ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

  • ବାଙ୍ଗଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ପଣ୍ଡାଲଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସୁଛି

ଢ଼ାକା : ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍ ମାଧ୍ୟମରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆକ୍ରମଣରେ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବୁଧବାର କୋମିଲା ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଖବର ଆସିଥିଲା ।

'ବାଂଲାଦେଶର ନୋଆଖାଲିରେ ISKCON ମନ୍ଦିର ଏବଂ ଭକ୍ତଙ୍କ ଉପରେ ହିଂସାତ୍ମକ ଆକ୍ରମଣ କଥା ଇସ୍କନ୍ କର୍ତ୍ତୃପକ୍ଷ ଟ୍ୱିଟ୍ କରିଛନ୍ତି । ମନ୍ଦିରରେ ଅନେକ କ୍ଷୟକ୍ଷତି ହେବା ସହ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଧାର୍ମିକ ସ୍ଥଳରେ ହିଂସାକାଣ୍ଡ ଘଟାଇଥିବାରୁ ନ୍ୟାୟ ପ୍ରଦାନ ପାଇଁ ତଥା ସମସ୍ତ ହିନ୍ଦୁଙ୍କ ସୁରକ୍ଷା ଲାଗି ବାଂଲାଦେଶ ସରକାରଙ୍କୁ ନିବେଦନ କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ତେବେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜେ ଶେଖ ହସିନା କହିଛନ୍ତି ।

ଚଳିତ ସପ୍ତାହରେ ଦଶହରା ଅବସରରେ ବାଙ୍ଗଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ପଣ୍ଡାଲଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଥିଲା । କୋମିଲା ସହରର ନାନୁଆର ଡିଗି ନିକଟରେ ଥିବା ଦୁର୍ଗା ପୂଜାରେ କୁରାନର ଅପମାନ ହୋଇଥିବା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା । ଆଉ ସେବେଠାରୁ ବାଙ୍ଗଲାଦେଶରେ ହିଂସା ଆରମ୍ଭ ହୋଇଛି । ହିନ୍ଦୁ ଧର୍ମସ୍ଥାନ ଉପରେ ଆକ୍ରମଣ ହେବା ସହ ବର୍ତ୍ତମାନ ସମୟରେ ISKCON ମନ୍ଦିର ଭଙ୍ଗାରୁଜା ହୋଇଥିବା ଖବର ଆସିଛି ।

କୋମିଲା ହିଂସା ପରେ ଚାନ୍ଦପୁରର ହାଜିଗଞ୍ଜ, ଚଟଗାଁର ବଂଶଖାଲିରେ ଏବଂ କକ୍ସର ବଜାରର ପେକୁଆରେ ଭଙ୍ଗାରୁଜା ଘଟଣା ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହିଂସାକାଣ୍ଡରେ ଲୋକଙ୍କ ମୃତାହତ ଖବର ପରେ ୨୨ ଟି ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା । ଏହି ପ୍ରସଙ୍ଗରେ ଗୁରୁବାର ଦିନ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ବାଂଲାଦେଶ ସରକାର ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି।