• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ସୁକର୍ଣ୍ଣୋପୁତ୍ରୀ ସମସ୍ତ ନୀତିକାନ୍ତି ସହ ହିନ୍ଦ ଧର୍ମ ଗ୍ରହଣ କରିଛନ୍ତି । ସେ ଇସ୍‌ଲାମ୍‌ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଯାହାକି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅର ଏଭଳି ଧର୍ମ ପରିବର୍ତ୍ତନ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ସେ ଇଣ୍ଡୋନେସିଆର ମୂଳବାସିନ୍ଦା ହୋଇଥିବା ବେଳେ ଇସ୍‌ଲାମ୍‌ ଧର୍ମ ଛାଡ଼ି ହିନ୍ଦୁତ୍ୱକୁ ପସନ୍ଦ କରିଛନ୍ତି ଆଉ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । କାରଣ ଇଣ୍ଡୋନେସିଆରେ ଇସ୍‌ଲାମ୍‌ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ । ଏହି ଦେଶରେ ବିଶ୍ୱର ସବୁଠାରୁ ଅଧିକ ମୁସଲିମ୍‌ ଲୋକ ରହିଥାନ୍ତି ।

କୁହାଯାଉଛି ଯେ, ସୁକ୍‌ମାବତୀ ହିନ୍ଦୁ ଧର୍ମ ବିଷୟରେ ସବୁ କିଛି ଜାଣିବା ପରେ, ତଥା ହିନ୍ଦୁ ଧର୍ମ ବିଷୟରେ ଅନେକ ଅଧ୍ୟୟନ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଅନେକ ଅଧ୍ୟୟନ ପରେ ସେ ହିନ୍ଦୁ ଧର୍ମ ପ୍ରତି ସମ୍ପୂର୍ଣ୍ଣରୂପେ ଆକୃଷ୍ଟ ହୋଇଥିଲେ । ଆଉ ଏବେ ସ୍ୱଇଚ୍ଛାରେ ହିନ୍ଦୁତ୍ୱକୁ ଆଦରି ନେଇଛନ୍ତି । ପୂର୍ବରୁ ଅନେକ ହିନ୍ଦୁ ଧର୍ମ ସଂପର୍କିତ ସମାରୋହରେ ସେ ଭାଗ ନେଇଥିଲେ । ପରେ ଅନେକ ହିନ୍ଦୁ ଧର୍ମଗୁରୁଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଧର୍ମ ପରିବର୍ତ୍ତନକୁ ନେଇ ତାଙ୍କ ଭାଇ ଭଉଣୀ ଓ ପୂରା ପରିବାର ସମର୍ଥନ ଜଣାଇଥିଲେ ।

ବାଲିର ସୁକର୍ଣ୍ଣୋ ସେଣ୍ଟର ଅଫ୍‌ ହେରିଟେଜ୍‌ରେ ଆୟୋଜିତ ଏକ ପାରମ୍ପରିକ କାର୍ଯ୍ୟକ୍ରମରେ ସୁକ୍‌ମାବତୀ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ପରିବାର ଓ ଅନେକ ପ୍ରିୟଜନ ତଥା ସମ୍ପର୍କୀୟ ସାମିଲ ହୋଇ ତାଙ୍କୁ ଆଶୀର୍ବାଦ କରିଛନ୍ତି । ତେବେ ସୁକ୍‌ମାବତୀ ହିନ୍ଦୁ ଧର୍ମ ଗ୍ରହଣ କରିବା ପଛରେ ତାଙ୍କର ଜେଜେ ମାଆଙ୍କ ଏକ ବଡ଼ ଅବଦାନ ରହିଛି । ସୁକ୍‌ମାବତୀଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ତାଙ୍କ ପୁଅ ଓ ମହମ୍ମଦ ପୁତ୍ର ଅଲ୍‌ ହାଦଦ ମଧ୍ୟ ଉପସ୍ଥିତ ଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୭୦ ବର୍ଷୀୟ ସୁକ୍‌ମାବତୀ ହେଉଛନ୍ତି ସୁକର୍ଣ୍ଣୋଙ୍କ ତିନି ନମ୍ବର ଝିଅ ଏବଂ ପୂର୍ବତନ ରାଷ୍ଟ୍ରପତି ମେଘାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ସାନ ଭଉଣୀ ।

୨୦୧୮ ମସିହାରେ ତାଙ୍କ ବିରୋଧରେ ଇସ୍‌ଲାମ ଧର୍ମକୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା । ସେ ଇସ୍‌ଲାମ୍‌ ଧର୍ମକୁ ଅପମାନ ଦେବା ଭଳି କବିତା ପାଠ କରିଥିଲେ । ତେଣୁ ସେତେବେଳେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାପରେ ସେ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।