• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନ୍ ପାଇଁ ମିଶନ ପଞ୍ଜଶିର ।

  • ପ୍ରତିରୋଧ ଓ ପ୍ରତିବନ୍ଧକର ଶେଷଗଡ଼ରେ ଘମାଘୋଟ ଲଢ଼େଇ ।

  • ପଞ୍ଜଶିର ଘାଟି ଯେଉଁଠି ଶତ୍ରୁ ପ୍ରବେଶ କରିବାକୁ ବି ଭୟ କରିଥାଏ । 

ତାଲିବାନ୍ ପାଇଁ ମିଶନ ପଞ୍ଜଶିର । ପ୍ରତିରୋଧ ଓ ପ୍ରତିବନ୍ଧକର ଶେଷଗଡ଼ରେ ଘମାଘୋଟ ଲଢ଼େଇ । ଆଫଗାନିସ୍ତାନ ମାନଚିତ୍ରରେ ଇଏ ସେହି ପଞ୍ଜଶିର ଘାଟି ଯେଉଁଠି ଶତ୍ରୁ ପ୍ରବେଶ କରିବାକୁ ବି ଭୟ କରିଥାଏ । ଆଉ ଏବେ ତାଲିବାନ୍‌ ଅଖଣ୍ଡ କ୍ଷମତା ହାତେଇବା ରାସ୍ତାରେ ପାଚେରୀ ଭଳି ଠିଆ ହୋଇଛି ସେହି ପଞ୍ଜଶିର ।

ଏବେ ଏଇ ଅଜେୟ ଉପତ୍ୟକାକୁ ଜୟ କରିବାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଦେଶର ଚାରିଆଡୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ତାଲିବାନ୍ ଫାଇଟର । ହେଲେ ବାଧକ ସାଜୁଛି ଏଠିକାର ଭୌଗୋଳିକ ସ୍ଥିତି । ହେଲେ ପ୍ରଦେଶକୁ ପ୍ରବେଶର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଦୁର୍ଗମ ଗିରିପଥରେ ଆମ୍ବୁସ୍ ଲଗେଇ ଛକି ବସିଛନ୍ତି ସେର୍ ଇ ପଞ୍ଜଶିର ଅହମ୍ମଦ ମାସୁଦ୍‌ଙ୍କ ନେତୃତ୍ୱାଧୀନ ନ୍ୟାସ୍‌ନାଲ୍ ରେଜିଷ୍ଟାନ୍ସ ଫୋର୍ସ । ତାଲିବାନୀ ସୈନ୍ୟଙ୍କ ଆକ୍ରମଣର ଭୟଙ୍କର ପ୍ରତି ଆକ୍ରମଣ କରୁଛନ୍ତି ପଞ୍ଜଶିର ଯୋଦ୍ଧା ।

ଗତ ରାତିରେ ତାଲିବାନୀ ଫାଇଟର ଖାଓ୍ୱାକ୍ ଓ ସୋଟୋଲ ଗିରିପଥ ଦେଇ ଆକ୍ରମଣ କରିବାକୁ ଉଦ୍ୟମ କରି ପୁଣି ପରାଜୟର ମୁହଁ ଦେଖିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଗୁଳି ବର୍ଷଣର ଭିଡିଓ ସେହି ସମୟର ବୋଲି କୁହାଯାଉଛି । ଏହି ସଂଘର୍ଷରେ ୩୪ରୁ ଅଧିକ ତାଲିବାନୀ ନିହତ ହେବା ସହ ୬୫ରୁ ଅଧିକ ଆହତ ହୋଇଛନ୍ତି । ଗତ ସୋମବାର ୮ ତାଲିବାନ ଫାଇଟରଙ୍କ ମୃତ୍ୟୁ ହୋଇଥିଲା । ଶାନ୍ତି ପ୍ରସ୍ତାବକୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ ଅଗ୍ରାହ୍ୟ କରିଦେବା ପରେ ତାଲିବାନ ପକ୍ଷରୁ ପୁଣି ଥରେ ଆକ୍ରମଣ କରାଯାଇଥିଲା । ଗଲା ସପ୍ତାହେ ଧରି ଚାଲିଥିବା ସଂଘର୍ଷରେ ତାଲିବାନକୁ ବିପୁଳ କ୍ଷତି ସହିବାକୁ ପଡିଛି ।

କିଛି ଗଣମାଧ୍ୟମରେ ଗଲା କିଛି ଦିନ ଭିତରେ ଶତାଧିକ ତାଲିବାନୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ, ଆଉ କିଛିରେ ଏହି ସଂଖ୍ୟା ୩ଶହ ଉପରେ ବୋଲି ଦର୍ଶାଯାଉଛି । ବହୁ ତାଲିବାନୀ ଫାଇଟରଙ୍କୁ ବନ୍ଦୀ କରାଯାଇଥିବା ମଧ୍ୟ ରେଜିଷ୍ଟାନ୍ସ ଫୋର୍ସ ପକ୍ଷରୁ ଦାବି କରାଯାଇଛି । ପଞ୍ଜଶିର ଫାଇଟରଙ୍କ ସହ ଆଫଗାନିସ୍ତାନ ସେନାର ବହୁ ପୂର୍ବତନ ଯବାନ ସାମିଲ ହେବା ପରେ ସଂଗଠନର କ୍ଷମତା ବହୁଗୁଣ ବଢିଯାଇଛି । ଫଳରେ ସେମାନଙ୍କୁ ଦମନ କରିବା ତାଲିବାନ ପାଇଁ ସମ୍ଭବ ହେବନି ବୋଲି କୁହାଯାଉଛି ।

ଏପଟେ କାବୁଲ କବ୍‌ଜା ପରେ ସରକାର ଗଠନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି ତାଲିବାନ । କୁହାଯାଉଛି ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ହିଁ ସରକାରର ମୁଖ୍ୟ ହେବ । ତେବେ ତାଙ୍କ ଅଧୀନରେ ଜଣେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଦେଶ ଶାସନ ଦାୟିତ୍ୱରେ ରହିବେ ।

ସେହିପରି କ୍ୟାବିନେଟର ରୂପରେଖ ମଧ୍ୟ ଚୂଡ଼ାନ୍ତ ହୋଇଥିବା ତାଲିବାନ କଲଚରାଲ କମିଶନ ସଦସ୍ୟ ଆନ୍ନାମୁଲ୍ଲା ସମନଗାନୀ ସୂଚନା ଦେଇଛନ୍ତି । ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରାଯିବ ବୋଲି ସେ ଆଫ୍‌ଗାନୀ ଗଣମାଧ୍ୟମକୁ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତାଲିବାନ ବିଭିନ୍ନ ପ୍ରଦେଶ ଲାଗି ଗଭର୍ଣ୍ଣର, ପୋଲିସ ମୁଖ୍ୟ ଏବଂ ଜିଲ୍ଲା ଲାଗି ପୋଲିସ କମାଣ୍ଡରଙ୍କ ନାଁ ଘୋଷଣା କରି ସାରିଛି । ଏମାନେ କାର୍ଯ୍ୟରେ ଯୋଗ ଦେଇସାରିଥିବା ସଂଗଠନର ବରିଷ୍ଠ ନେତା ଅବଦ୍ଦୁଲ ହନନ୍ ହକାନି କହିଛନ୍ତି । ତେବେ ସରକାରର ନାଁ କଣ ରହିବ, ଜାତୀୟ ପତାକା ଏବଂ ଜାତୀୟ ସଂଗୀତ ନେଇ ଜନସାଧାରଣଙ୍କ ସହ ତାଲିବାନ ଏଯାଏଁ ଆଲୋଚନା କରିନାହିଁ । ତେଣୁ ତାଲିବାନ୍ ସରକାରର ରୂପରେଖ କିଭଳି ରହୁଛି, ଅଖଣ୍ଡ କ୍ଷମତା ହାସଲ ଲାଗି ପଞ୍ଜଶିର ଲଢ଼େଇର ଶେଷ ଫଳ କଣ ହେବ, ଏସବୁ ଉପରେ ଏବେ ସାରା ବିଶ୍ୱର ନଜର ।