• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିଲେ ।

  • ତାଲିବାନ ଦଖଲ ପୂର୍ବରୁ ଏଭଳି ସୂଚନା ଦେଇଥିଲେ ଘନି ।

  • ବାଇଡେନ୍‌ ଦେଇଥିଲେ ଆଶ୍ୱାସନା ।

କାବୁଲ: ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଏନେଇ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା । ତେବେ ଏହି ଘଟଣା ପାକିସ୍ତାନର ଯୋଜନା ଅନୁଯାୟୀ ହୋଇଥିବା ଜଣାପଡ଼ିଛି । ଆଫ୍‌ଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସ୍ରଫ ଘନି ଏନେଇ ୨୩ ଜୁଲାଇରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଗାନି ସରକାର ପତନ ହେବାର କିଛି ସପ୍ତାହ ପୂର୍ବରୁ ବାଇଡେନ୍‌ଙ୍କୁ ଫୋନ କରି ସେ କହିଥିଲେ ଯେ, “ମିଷ୍ଟର ପ୍ରେସିଡେଣ୍ଟ ଆମେ ଏକ ବଡ଼ ଧରଣ ଆକ୍ରମଣର ସାମ୍ନା କରୁଛୁ । ଯେଉଁଥିରେ ତାଲିବାନ, ସମ୍ପୂର୍ଣ୍ଣ ପାକିସ୍ତାନୀ ଯୋଜନା ଏବଂ ସୈନ୍ୟ ସମର୍ଥନ ସାମିଲ ଅଛନ୍ତି । ଏହାସହ ଅତି କମ୍‌ରେ ୧୦ରୁ ୧୫ ହଜାର ଅନ୍ତର୍ଜାତୀୟ ଆତଙ୍କବାଦୀ ଯେଉଁଥିରେ ପ୍ରାୟ ସମସ୍ତେ ପାକିସ୍ତାନୀ ରହିଛନ୍ତି । ଏହା ଉପରେ ଗୁରୁତ୍ୱ ଦେବା ଉଚିତ୍‌ ।” ନ୍ୟୁଜ ଏଜେନ୍ସି ରଏଟର୍ସ ନିକଟରେ ଏନେଇ ୧୪ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ମଧ୍ୟ ରହିଛି ।

ରଏଟର୍ସ ଅନୁଯାୟୀ, ଅସ୍ରଫ ଘନି କିମ୍ବା ବାଇଡେନଙ୍କ ଏହି କଥାବାର୍ତ୍ତାରୁ ଜଣାପଡ଼ୁନଥିଲା ଯେ ଆଫ୍‌ଗାନିସ୍ତାନରେ ଏତେ ଶୀଘ୍ର ସରକାର ପତନ ହୋଇଯିବ । କାରଣ ବାଇଡେନ୍‌ ଏହି ବାର୍ତ୍ତାଳାପରେ ଆଫ୍‌ଗାନିସ୍ତାନକୁ ପୂର୍ଣ୍ଣ ସହଯୋଗ କରିବାର ଆସ୍ୱସନା ଦେଇଥିଲେ । କିନ୍ତୁ ଘନି ସେଠାରୁ ଯଥାଶୀଘ୍ର ବାହାରିବା ନେଇ ଗୁରୁତ୍ୱ ଦେଉଥିଲେ । ଆଫଗାନିସ୍ତାନର ସରକାରୀ ଅଧିକାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ବାରମ୍ବାର ଅଭିଯୋଗ କରିଆସୁଥିଲେ ଯେ, ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ତାଲିବାନକୁ ସମର୍ଥନ କରୁଛି । ହେଲେ ପାକିସ୍ତାନର ମନ୍ତ୍ରୀମାନେ ଏହାକୁ ଅସ୍ୱୀକାର କରୁଛନ୍ତି ।

ଏମିତି ସାମ୍ନାକୁ ଆସିଲା ପାକିସ୍ତାନ ନାଁ

୨୩ ଜୁଲାଇରେ ଘନି ଏବଂ ବାଇଡେନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ପାକିସ୍ତାନର ନାଁ ସାମ୍ନାକୁ ଆସିଥିଲା । କାରଣ ଆଫ୍‌ଗାନିସ୍ତାନରେ ତାଲିବାନ ଆକ୍ରମଣର ମୁକାବିଲା ନେଇ ସାରା ବିଶ୍ୱ ଆଗରେ ଘୋଷଣା କରିବାକୁ ବାଇଡେନ୍‌ ଘନିଙ୍କୁ କହିଥିଲେ । ଏହି ସମୟରେ ଘନି ଉତ୍ତର ଦେଇଥିଲେ ଯେ, କେବଳ ତାଲିବାନ ନୁହଁନ୍ତି ବରଂ ପାକିସ୍ତାନର ପୂଣ୍ଣଆ ଯୋଜନା ଏଥିରେ ସାମିଲ ଅଛି । ଏହାସହ ତାର ସାମରିକ ସମର୍ଥନ ମଧ୍ୟ ରହିଛି । ପ୍ରାୟ ୧୦ରୁ ୧୫ ହଜାର ଅନ୍ତର୍ଜାତୀୟ ଆତଙ୍କବାଦୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଯେଉଁମାନେ ମୁଖ୍ୟତଃ ପାକିସ୍ତାନର ବୋଲି ମଧ୍ୟ ଘନି, ବାଇଡେନ୍‌ଙ୍କୁ ସୂଚନା ଦେଇଥିଲେ ।

ଏହାର କିଛି ସପ୍ତାହ ପରେ, ଅଗଷ୍ଟ ୧୫ ରେ ତାଲିବାନ ଆତଙ୍କବାଦୀ କାବୁଲରେ ପହଞ୍ଚିଥିଲେ । ଯାହାଫଳରେ ଘନି ସରକାରର ପତନ ଘଟିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଘନି ଦେଶକୁ ସମ୍ବୋଧିତ କରି ଆଫଗାନିସ୍ତାନକୁ ଆଶ୍ୱାସନା ଦେଇଥିଲେ ଯେ ସେ ସାମରିକ ଶକ୍ତି ବୃଦ୍ଧି କରିବା ସହ ସୈନ୍ୟ ନିୟୋଜନ କରିବେ । ହେଲେ ଗୋଟିଏ ଦିନ ପରେ ସେ ଦେଶ ଛାଡି ପଳାଇଥିଲେ ।

ଜୁଲାଇ ୨୩ ରେ, ବିଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୂଲିବନ, ଜେନେରାଲ ମାର୍କ ମିଲେ ଏବଂ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ୍‌ର କମାଣ୍ଡର ଜେନେରାଲ ଫ୍ରାଙ୍କ ମ୍ୟାକେଞ୍ଜି ଆଫ୍‌ଗାନ ରାଷ୍ଟ୍ରପତି ଅସ୍‌ରଫ ଘନିଙ୍କ ସହ କଥା ହୋଇଥିଲେ।