• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚିନ୍ତା ବଢାଉଛି କେମିକାଲ୍

  • ଗବେଷଣାରୁ ମିଳିଲା ଚାଚଂଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବର୍ଷକୁ ଲକ୍ଷେ ଲୋକଙ୍କ ଜୀବନ ନେଉଛି ଏକ ବିଷାକ୍ତ କେମିକାଲ୍ । ଏହି ରାସାୟନିକ ପଦାର୍ଥ ହୃଦରୋଗ କରାଉଛି ଓ ସେଥିରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଆତଙ୍କିତ ଆମେରିକୀୟ । ତେବେ ସବୁଠୁ ଅଧିକ ଚିନ୍ତାର କାରଣ ହେଉଛି, ଏହି କେମିକାଲର ପ୍ରଚଳନ ଦୈନନ୍ଦିନ ଜୀବନରେ ଏତେ ବ୍ୟାପକ ଯେ, ଏହାଠୁ ଦୂରେଇ ରହିବା ଏକପ୍ରକାର ଅସମ୍ଭବ ।

ଶାମ୍ପୁ, ସେଂଟ୍‌, ମେକ୍ଅପ୍ ଯାଏ। ପ୍ଲାଷ୍ଟିକ୍ ଡବା, ପୋଷାକପତ୍ରରୁ ପିଲାଙ୍କ ଖେଳଣା ଯାଏଁ । ସବୁଠି ରହିଛି ବିପଜ୍ଜନକ କେମିକାଲ୍ ଥାଲେଟ୍ସ । ହର୍ମୋନ୍ ସନ୍ତୁଳନ ବିଗାଡ଼ୁଥିବା ଓ ଶରୀରର ବିଭିନ୍ନ ଅନ୍ତସ୍ରାବୀ ଗ୍ରନ୍ଥି କ୍ଷରଣରେ ବାଧା ଉପୁଜାଉଥିବା ଏହି ରାସାୟନିକ ପଦାର୍ଥ ଡାକି ଆଣୁଛି ହୃଦରୋଗ । ପ୍ଲାଷ୍ଟିକ୍ ଡବା ଓ ଖେଳଣାକୁ ମଜବୁତ୍ କରିବା ହେଉ, ଲୁଗାପଟାର ରଙ୍ଗକୁ ଦୀର୍ଘସ୍ଥାୟୀ କରିବା ହେଉ, ଅବା ସାମ୍ପୁର ବାସ୍ନା ଦୀର୍ଘ ସମୟ ରଖିବା । ଏହିଭଳି ଶହ ଶହ ପ୍ରକାର ସାମଗ୍ରୀରେ ବ୍ୟବହାର ହୋଇଥାଏ ଏହି ବିପଜ୍ଜନକ କେମିକାଲ୍ । ଆମ ଅଜାଣତରେ ଥାଲେଟ୍ସ ପାଟି ବା ନାକ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ ଏବଂ ପରୋକ୍ଷରେ ଅକାଳ ମୃତ୍ୟୁକୁ ଡାକିଆଣିଥାଏ । ଆମେରିକାର ବାର୍ଷିକ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ସହ ଏହି ଥାଲେଟ୍ସ ଗ୍ରୁପ୍ ରାସାୟନିକ ପଦାର୍ଥର ସଂପର୍କ ରହିଛି ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ।

ନିୟୁ ୟର୍କ ବିଶ୍ୱବିଦ୍ୟାଳୟର ଗ୍ରସ୍ମ୍ଯାନ୍ ସ୍କୁଲ୍ ଅଫ୍ ମେଡିସିନ୍ ପକ୍ଷରୁ ଏକ ସର୍ବେକ୍ଷଣ ହୋଇଥିଲା । ଏଥିରେ ୫୫ରୁ ୬୪ ବର୍ଷ ବୟସ୍କ ୫ହଜାର ଲୋକ ଭାଗ ନେଇଥିଲେ । ଦେଖାଯାଇଥିଲା ଯେ, ଯେଉଁମାନଙ୍କ ମୂତ୍ରରେ ଥାଲେଟ୍ସର ମାତ୍ରା ଅଧିକ, ସେମାନଙ୍କର ହୃଦରୋଗରେ ମୃତ୍ୟୁ ହେବା ଆଶଙ୍କା ମଧ୍ୟ ଅଧିକ । ଏହି କେମିକାଲରେ ମେଦ ବହୁଳତା ଓ ଡାଇବେଟିସ୍ ସହିତ ଲିଙ୍କ୍ ଥିବା ମଧ୍ୟ ଜଣାପଡ଼ିଛି । ହେଲେ ଏହା ମୁଖ୍ୟତଃ ହୃଦରୋଗରୁ ମୃତ୍ୟୁ ଆଶଙ୍କା ଅଧିକ ରହିଛି ବୋଲି ଜଣାପଡ଼ିଛି । ତେବେ ଏହି କେମିକାଲ୍ କ୍ୟାନସର ଆଶଙ୍କା ବଢ଼ାଉନାହିଁ ବୋଲି Environmental Pollution ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ, ଆଉ କିଛି ଷ୍ଟଡିରୁ ଜଣାପଡ଼ିଛି ଯେ ଏହି ରାସାୟନିକ ପଦାର୍ଥ ପୁରୁଷଙ୍କ ଠାରେ ଟେଷ୍ଟୋଷ୍ଟିରନ୍ ମାତ୍ରା କମାଇଦେବା ଫଳରେ ମଧ୍ୟ ବର୍ଷକୁ ପ୍ରାୟ ୧୦ ହଜାର ମୃତ୍ୟୁ ହେଉଛି । ଏଥିସହ ଅର୍ଥନୀତି ଦୃଷ୍ଟିରୁ ଥାଲେଟ୍ସ ଯୋଗୁଁ ୪ହଜାରରୁ ୪ ହଜାର ୭ଶହ କୋଟି ଡଲାର୍ କ୍ଷତି ହେଉଛି ।. ତେବେ ଆମେରିକୀୟ କେମିଷ୍ଟ୍ରି କାଉନ୍ସିଲ କହିଛି, ଏହି ସର୍ବେକ୍ଷଣରେ ତ୍ରୁଟି ରହିଛି । କାରଣ ଏଥିରେ ଥାଲେଟ୍ସ କେମିକାଲ୍ ଗୁଡ଼ିକୁ ବିଷାକ୍ତ ମାତ୍ରା ଅନୁସାରେ ପୃଥକ ନକରି ଗୋଟିଏ ଗ୍ରୁପରେ ରଖାଯାଇଛି ।