• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଞ୍ଜଶିରକୁ ସମ୍ପୂର୍ଣ୍ଣ ଅକ୍ତିଆର କରିଥିବା ତାଲିବାନର ଦାବି

  • ତାଲିବାନୀ ମିଲଟାରୀ ମୁଖପାତ୍ରଙ୍କ ପକ୍ଷରୁ ଭିଡିଓ ଜାରି

କାବୁଲ : ପଞ୍ଜଶିରକୁ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କଲା ତାଲିବାନ୍ । ପତାକା ଉଡ଼ାଇ ପତିଆର ଜାହିର ଗଲା । ପଞ୍ଜଶିର ମାଟିରେ ନିଜର ପତାକା ଲଗାଇ ବିଜୟ ଉତ୍ସବ ମନାଇଲେ ତାଲିବାନୀ । ବଡ଼ ଯୁଦ୍ଧ ପରେ ଅଭେଦ୍ୟ ଗଡ଼ରେ ଏଣ୍ଟ୍ରି ମାରିଲେ ତାଲିବାନୀ । ଆଫଗାନିସ୍ତାନରେ ତାଲିବାନୀଙ୍କୁ କଡ଼ା ଜବାବ ଦେଉଥିବା ପଞ୍ଜଶିର ଯୋଦ୍ଧାମାନେ ଶେଷରେ ପରାଜିତ ହୋଇଛନ୍ତି । ଆସିଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ପଞ୍ଜଶିରରେ କବଜା ଜମେଇ ସାରିଛି ତାଲିବାନ୍ । ତେବେ ସଂପୂର୍ଣ୍ଣ ପଞ୍ଜଶିର ବିଜୟ ସମ୍ପର୍କରେ ନିଜେ ଜଣାଇଛନ୍ତି ତାଲିବାନୀ ସଂଗଠନ । ପଞ୍ଜଶିରରେ ତାଲିବାନ ପତାକା ଲଗାଯାଇଥିବା ବେଳେ ପଞ୍ଜଶିର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ବାହାରେ ତାଲିବାନୀ ସଂଗଠନର ସଦସ୍ୟମାନେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ତାଲିବାନୀ ମିଲଟାରୀ ମୁଖପାତ୍ରଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।

ତାଲିବାନ ଶାସନରୁ ନିଜ ମାଟିକୁ ମୁକ୍ତ ରଖିବାକୁ, ସ୍ୱାଧୀନତାର ଶେଷ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ଥିଲା ପଞ୍ଜଶିର ଘାଟି । ହେଲେ ରବିବାର ରାତିରେ ପଞ୍ଜଶିର ଯୋଦ୍ଧାମାନେ ତାଲିବାନୀ ସାମ୍ନାରେ ଦୁର୍ବଳ ହୋଇଯାଇଥିଲା । ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଅମରୁଲ୍ଲା ସାଲେହଙ୍କ ଘର ଉପରକୁ ମଧ୍ୟ ପ୍ରବଳ ଗୁଳିଗୁଳା ବର୍ଷା ହୋଇଛି । ତାଲିବାନଙ୍କ ଗୁଳିରେ ପଞ୍ଜସିରରେ ଥିବା ସାଲେହଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ତେବେ ଅମରୁଲ୍ଲା ସାଲେହ ଓ ସାଲେହ ମହମ୍ମଦଙ୍କୁଉଭୟେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଉଭୟଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ତାଲିବାନ ଦ୍ୱାରା ଆଉ ଏକ ଦାବି କରାଯାଇଛି । ନର୍ଦ୍ଦନ ଆଲାଇନ୍ସର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କୁ ମଧ୍ୟ ହତ୍ୟା କରିଥିବା ସେମାନେ କହିଛନ୍ତି । ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରିସାରିଛୁ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ କହିଛନ୍ତି । ତେବେ ଆଜି ଅଭେଦ୍ୟ ଗଡ଼ ପଞ୍ଜଶିରକୁ କବଜା କରିବା ପାଇଁ ସମସ୍ତ ଉଦ୍ୟମ କରିଥିବା ତାଲିବାନ ପାକିସ୍ତାନର ମଧ୍ୟ ସମର୍ଥନ ପାଇଥିଲା । ପଞ୍ଜଶିରରେ ଡ୍ରୋନ୍ ଆକ୍ରମଣ କରିଥିଲା ପାକିସ୍ତାନୀ ବାୟୁସେନା । ଆଫଗାନିସ୍ତାନର ସାମଙ୍ଗାନ ପ୍ରଦେଶର ପୂର୍ବତନ ସାଂସଦ ଜିଆ ଅରିୟନଜାଦୋ ଏନେଇ ସ୍ପଷ୍ଟ କରିଥିଲା ।

ସେପଟେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ ଚାଲିଛି । ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଗତକାଲି ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଫଗାନିସ୍ତାନ ଖବରକାଗଜ ପଞ୍ଜଶୀର ଅବଜରଭର ଅନୁସାରେ ଅନସ୍ ହକ୍କାନୀଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଥିଲା ବୋଲି ଜଣାପଡ଼ିଥିଲା । ଆଉ ଏହି ଗୁଳିମାନରେ ମୁଲ୍ଲା ଅବଦୁଲ ଘନି ବରାଦର ଆହତ ହୋଇଥିଲେ ।