• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ । ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁଁ ୨୦୦୩ରୁ ଫାର୍ମାସିଷ୍ଟଙ୍କ ଜରିଆରେ କେତେକାଂଶରେ ରୋଗୀ ସେବା ଚାଲି ଆସୁଥିଲା ବେଳେ ଏବେ ସେମାନଙ୍କ ଉପରେ ଅଧିକ ଭରସା କରିଛି ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନୂଆ ଅଫିସ୍ ଅର୍ଡର, ଯେଉଁଥିରେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟ କେଉଁ ଔଷଧ ଦେବେ ତାହା ତ ସୁପାରିଶ କରାଯାଇଛି, ଏଥିସହ ଫାର୍ମାସିଷ୍ଟ୍ ଆଣ୍ଟି ବାୟୋଟିକ୍ ମେଡିସିନ୍ ଦେବାର ବି ବ୍ୟବସ୍ଥା ରହିଛି । ଯେମିତିକି ଆଜିଥ୍ରୋମାଇସିନ୍, ଆମୋକ୍ସିଲିନ୍, ସାଇପ୍ରୋଫ୍ଲୋକ୍ସାସିନ୍ ଭଳି ବହୁ ଆଣ୍ଟିବାୟୋଟିକ୍ ମେଡିସିନ୍ । ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାକ୍ତରଙ୍କ ବିନା ସୁପାରିଶରେ ଫାର୍ମାସିଷ୍ଟମାନେ ଆଣ୍ଟିବାୟୋଟିକ୍ ମେଡିସିନ୍ ଦେବା କଥା ନୁହେଁ । କାରଣ ସେମାନେ ଏହି ପାଠ ପଢ଼ିନାହାନ୍ତି । ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପୂର୍ବରୁ ଏହି ବ୍ୟବସ୍ଥା ଥିଲା । ଡ୍ରଗସ୍ କଣ୍ଟ୍ରୋଲରଙ୍କ ପରାମର୍ଶରେ ଏବେ କିଛି ମେଡିସିନ୍‌ର ତାଲିକା ଯୋଡାଯାଇଛି ।

ଆଉ ଏପଟେ ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ର ହେଉଛି ଅଧିକାଂଶ ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାରେ ଫାର୍ମାସିଷ୍ଟଙ୍କ ହାତରେ ରୋଗୀଙ୍କ ଜୀବନ । କୋରାପୁଟ ଜିଲ୍ଲା ଲମତାପୁଟ୍ ମାଟାମପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଅନୁପସ୍ଥିତ ଥିବାରୁ ଫାର୍ମାସିଷ୍ଟଙ୍କୁ ଦେଖାଇବା ଛଡ଼ା ଏଠି ରୋଗୀଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ । ଠିକ୍ ସେମିତି ସୁନ୍ଦରଗଡ ଜିଲ୍ଲା କୁଟୁଣିଆ ପଂଚାୟତ ସରକାରୀ ପ୍ରାଇମେରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଦେଖାଠୁ, ଔଷଧ ବଣ୍ଟନ ଯାଏଁ ସବୁ କାମରେ ଲାଗିଛନ୍ତି ଫାର୍ମାସିଷ୍ଚ ।

ରାଜ୍ୟରେ ମୋଟ୍ ଡାକ୍ତର ପଦବୀ ସଂଖ୍ୟା ୮ ହଜାର ୭୧୯ । ସେଥିରୁ ଚଳିତ ବର୍ଷ ମାର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ପଦବୀ ଖାଲିଥିଲା । ଏବେ ଡାକ୍ତର ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ବେଳେ ଏବେ ବି ପାଖାପାଖି ୧୭ ଶହ ପଦବୀ ଖାଲି ରହିଛି । ତେଣୁ ଏଭଳି ସ୍ଥିତିରେ ଡାକ୍ତର ଅଭାବ ପୂରଣ ପାଇଁ ଫାର୍ମାସିଷ୍ଟଙ୍କ ଉପରେ ଭରସା କରିଛନ୍ତି ସରକାର । ହେଲେ ସେମାନେ ବିନା ଡାକ୍ତରୀ ଡିଗ୍ରୀରେ ଆଣ୍ଟିବାଓଟିକ ମେଡିସିନ୍ କେମିତି ଦେବେ, ତାହା ଏବେ ବିତର୍କର ବିଷୟ ପାଲଟିଛି ।