• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଳ୍ପ  ଖର୍ଚ୍ଚ ଓ ସହଜ ଉପାୟରେ ବନାନ୍ତୁ 'ତାଡ଼ିଆ'

ଆମ ଓଡ଼ିଆ ଘରେ ବାର ମାସରେ ତେର ପରବ । ଆଉ ଏହି ପର୍ବପର୍ବାଣୀରେ ଘରେ ବିଭିନ୍ନ ମିଠା ଓ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ଜନ୍ମାଷ୍ଟମୀ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ତାଡ଼ିଆ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ତାଡ଼ିଆ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ : ଛେନା-ଦୁଇ କପ,କ୍ଷୀର-ଦୁଇ ଲିଟର, ଚିନି- ଦୁଇ କପ୍ ,ମଇଦା,ଗୁଆ ଘିଅ ଓ ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ କ୍ଷୀରକୁ ପକାଇ ଗରମ କରନ୍ତୁ ।
  • ଏହାପରେ କ୍ଷୀରକୁ ଗରମ କରି ସେଥିରେ ଚିନି ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ କ୍ଷୀରକୁ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । କ୍ଷୀର ଅଧା ହୋଇଗଲେ ପରେ ତାହାକୁ ଚୁଲିରୁ ଓହ୍ଲାଇ ଏକ ପାତ୍ରରେ ରଖି ଦିଅନ୍ତୁ।
  • ଏକ ପାତ୍ରରେ ଛେନାକୁ ଭଲ ଭାବେ ଚିପୁଡ଼ି ରଖନ୍ତୁ ।
  • ଏହାପରେ ଛେନାରେ ମଇଦା ମିଶାଇ ଭଲ କରି ଚକଟି ଦିଅନ୍ତୁ । ମନେରଖନ୍ତୁ ଛେନା ଓ ମଇଦାକୁ ଭଲଭାବେ ଚକଟିଲେ ଏହାର ଗୁଳା ଗୁଡିକ ଭଲ ଭାବେ ଫୁଲିଥାଏ ।
  • ଏହାପରେ ଭଲଭାବେ ଚକଟି ଗୋଲ ଗୋଲ କାକରାର ଆକାର ତିଆରି କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ଘିଅକୁ ଗରମ କରନ୍ତୁ । କଡେଇରେ ଘିଅ ଗରମ ହୋଇଗଲା ପରେ ଛେନା-ମଇଦାରେ ପ୍ରସ୍ତୁତ କାକରା ଗୁଡିକ ଛାଣନ୍ତୁ ।
  • ଏହା ଗୁଡିକ ଅଳ୍ପ ନାଲି ଓ ବାଦୀମୀ ରଙ୍ଗ ହୋଇଗଲା ପରେ ଏକ ପାତ୍ରକୁ ଛାଣି କାଢି ଦିଅନ୍ତୁ ।
  • ଏହାକୁ  ଆଗରୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାନ୍ତୁ ।
  • ଏବେ ଏଥିରେ ଅଳେଇଚ ଗୁଣ୍ଡ ପକାଇ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ତାଡ଼ିଆ’। ଏହି ଜନ୍ମାଷ୍ଟମୀରେ ଏହି ‘ତାଡ଼ିଆ’ ତଥା ମିଠା ରେସିପିଟିକୁ ତିଆରି କରି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ । ଏହି ମିଠା ରେସିପିଟିକୁ ନିଜେ ଖାଅନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।