• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା ।

  • ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଗଲେ କାଳିଆ ସାଆନ୍ତ ।

  • ନିର୍ଧାରିତ ସମୟର ଢ଼େର ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନିରଥ ।

ପୁରୀ: କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ । ନିର୍ଧାରିତ ସମୟ ଭିତରେ ରଥ ଟଣା ହୋଇ ସଂଧ୍ୟାର ଢେର ଆଗରୁ ଗୁଣ୍ଡିଚା ମନ୍ଦିରରେ ବି ଲାଗିଗଲା ତିନିରଥ । ଆଗପଛ ହୋଇ ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ଓ ଶେଷରେ ଗୁଣ୍ଡିଚା ମନ୍ଦିର ପହଞ୍ଚିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରଥ ଉପରେ ଆଜି ରାତିଟା ରହିବା ପରେ ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନିଠାକୁର ।

ସିଂହଦ୍ୱାର ସାମ୍ନାରେ ସଜ ହୋଇ ଠିଆ ହୋଇଥିଲେ ଦିବ୍ୟ ସୁନ୍ଦର ତିନି ରଥ । ଭକ୍ତ ନଥିଲେ, ହେଲେ ଜଗା ଆସୁଛି ଜାଣି ଯେମିତି ଭାବରେ ଭିଜୁଥିଲା ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଲା ଶ୍ରୀମନ୍ଦିର । ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା । ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି ।

ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ । ଏହା ପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘରଘର ନାଦରେ, କେବଳ ସେବାୟତଙ୍କ ଗହଳିରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତିନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ଶେଷ ହୋଇଥିଲା ଗୋଟିକ ପରେ ଗୋଟିଏ ନୀତି । ତେଣେ କୋଭିଡ୍ କଟକଣା ସାଙ୍ଗକୁ ସହରରେ ଜାରି ୪୮ ଘଣ୍ଟିଆ କର୍ଫ୍ୟୁ ଭିତରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ବି ବ୍ୟାପକ ବନ୍ଦୋବସ୍ତ ସହ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ପାଣି ସିଞ୍ଚନର ବ୍ୟବସ୍ଥା ବି ହୋଇଥିଲା ।

ସୂର୍ଯ୍ୟ ନଇଁବା ଆଗରୁ ଶରଧାବାଲିରେ ଗୋଟି ଗୋଟି ହୋଇ ତିନି ରଥ ଲାଗି ସାରିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା ସେବାୟତଙ୍କ ଗୀତ ଗୋବିନ୍ଦ ଗାନରେ ପ୍ରକମ୍ପିତ ହେଉଥିଲା । ପରିବେଶରେ ଖେଳିଯାଇଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ । ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର ।