• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲା ଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଲାଲକିଲ୍ଲା ଚାରିପାଖରେ ସୁରକ୍ଷାକୁ ଏତେ କଡାକଡ଼ି କରାଯାଇଛି, ଯେ ପାରା ଟିଏ ମଧ୍ୟ ଯାଇ ପାରିବ ନାହିଁ ।

ଲାଲକିଲ୍ଲା ଚାରିପାଖରେ ୯ଟି ଆଣ୍ଟି-ଡ୍ରୋନ୍ ରାଡାର ପ୍ରସ୍ତୁତ କରାଯାଇଛି । Face Recognition ପାଇଁ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ଚେହେରାର ସବିଶେଷ ତଥ୍ୟ ରଖାଯାଇପାରିବ । ଲାଲକିଲ୍ଲାର ମୁଖ୍ୟ ଫାଟକ ବାହାରେ ବଡ଼ କଣ୍ଟେନର ରଖାଯାଇଛି, ଫଳରେ ସାମ୍ନାରୁ ଲାଲକିଲ୍ଲାକୁ କେହି ଦେଖିପାରିବେ ନାହିଁ । ପ୍ରାୟ ୧୫ରୁ ୨୦ ବଡ଼ ବଡ଼ କଣ୍ଟେନର ବ୍ୟବହାର କରାଯାଇଛି | କେବଳ ଲାଲକିଲ୍ଲାର ସୁରକ୍ଷା ପାଇଁ ୫୦୦୦ ସେନା ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ସମଗ୍ର ଦିଲ୍ଲୀରେ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ସତର୍କତା ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ବନ୍ଦ କରାଯାଇଛି । ପ୍ରତ୍ୟେକ ଗାଡ଼ିମଟର ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।

ସୁରକ୍ଷାରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ଦିଲ୍ଲୀ ପୋଲିସ ବ୍ୟତୀତ ପାରାମିଲିଟାରୀ ଫୋର୍ସ, ଏନଏସଜି କମାଣ୍ଡୋ ଏବଂ ଏସପିଜି କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଉଚ୍ଚ ଅଟ୍ଟାଳିକା ଗୁଡ଼ିକରେ ସ୍ନାଇପର ନିୟୋଜିତ କରାଯାଇଛି ।

ଖାଲିସ୍ତାନୀ ଆତଙ୍କବାଦୀ ଭୟ

ଅଗଷ୍ଟ ୧୫ ପାଇଁ ସୁରକ୍ଷା ଏଜେନ୍ସିମାନେ ପୂର୍ବରୁ ସତର୍କ ସୂଚନା ଜାରି କରି ସାରିଛନ୍ତି । ଚାଷୀ ଆନ୍ଦୋଳନ ଓ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନେଇଛି । ଦିଲ୍ଲୀ ପୋଲିସ ମଧ୍ୟ ଲାଲକିଲ୍ଲା ଚାରିପାଖରେ ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଲଗାଇଛି । ପୋଷ୍ଟରରେ ଛଅ ଜଣ ଆତଙ୍କବାଦୀଙ୍କ ଫଟୋ ଲଗାଇ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ଲେଖାଯାଇଛି ।

ଚଳିତ ବର୍ଷ କୃଷି ଆଇନ ବିରୋଧରେ ସୀମାରେ ବସିଥିବା ଚାଷୀଙ୍କ ପାଇଁ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ ରହିଛି । ଏହାପୂର୍ବରୁ ୨୬ ଜାନୁଆରୀରେ କୃଷକ ଆନ୍ଦୋଳନ ସମୟରେ ପ୍ରବଳ ହିଂସା ହୋଇଥିଲା । ଯେଉଁଥି ପାଇଁ ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।