• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆର୍ଥିକ ଅନଗ୍ରସର ପିଲାଙ୍କୁ ଦେଉଛନ୍ତି ମାଗଣା ନୃତ୍ୟ ଶିକ୍ଷା

  • ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ଆମ ରାଜ୍ୟର ମହାନ ସଂସ୍କୃତିର ନିଦର୍ଶନ ଓଡିଶୀ ନୃତ୍ୟ । ତେବେ ଏହି କ୍ଳିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ପାଇଁ ଅଭିଜ୍ଞ ନୃତ୍ୟ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଅନେକ କୁନି ପ୍ରତିଭା ଏଥିରୁ ବଞ୍ଚିତ ହେଉଛନ୍ତି । ମାତ୍ର ରାଜ୍ୟର ଜଣେ ସୁନାମଧନ୍ୟl ନୃତ୍ୟଗୁରୁ ଲିମା ଦାସ ଗରିବ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାଗଣା ଶିକ୍ଷା ।

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା । ଅନେକ ସମ୍ମାନ, ମାନପତ୍ର ସହ ତାଙ୍କ ପିତାଙ୍କ ପାଇଁ ଜଣେ ଆଦର୍ଶ କନ୍ୟାରତ୍ନ ଭାବେ ପ୍ରତିପାଦିତ ହୋଇ ପାରିଛନ୍ତି ଲିମା । ଆଉ ସେଥିପାଇଁ ଲିମାଙ୍କୁ ତୁଳସୀପତ୍ର ସହ ତୁଳନା କରନ୍ତି ତାଙ୍କ ବାପା ।

କେବଳ ସେତିକି ନୁହେଁ ନିଜେ ଯେତିକି ସଫଳତା ପାଇଛନ୍ତି ତାଙ୍କ ଅଞ୍ଚଳର ନୃତ୍ୟ ଅନୁରାଗୀ ପିଲା ମାନଙ୍କ ପାଇଁ ଖୋଲି ଦେଇଛନ୍ତି ଏକ ସୁନ୍ଦର ଅବସର । ରାଜ ସୁନାଖଳା, ରଣପୁର, ବୋଲଗଡ଼ ଆଦି ଅଞ୍ଚଳରେ ତିନୋଟି ନୃତ୍ୟ ଅନୁଷ୍ଠାନ ଗଢି ଶତାଧିକ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ୭ ବର୍ଷ ଧରି ଦେଇ ଆସୁଛନ୍ତି ଓଡିଶୀ ନୃତ୍ୟ ଶିକ୍ଷା । ଗରିବ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣାରେ ନୃତ୍ୟ ଶିଖାଉଛନ୍ତି । ତେବେ ଆର୍ଥିକ ସ୍ୱଚ୍ଛଳ ଅଭିବାବକ ଯେତିକି ପାରିଶ୍ରମିକ ଦିଅନ୍ତି ସେଥିରେ ଚାଲେ ଏହି ତିନି ତିନୋଟି ଅନୁଷ୍ଠାନ ।

ଶାସ୍ତ୍ରୀୟ ପରମ୍ପରା ସମ୍ପନ୍ନ ନୃତ୍ୟକୁ ଶିଖିବାକୁ ଚାହୁଁଥିବା କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବ କାରଣରୁ ବଞ୍ଚିତ ନହୁଅନ୍ତୁ ଏହି ଲକ୍ଷ ରଖିଛନ୍ତି ଲିମା । ତେବେ ଏଥିରେ ତାଙ୍କ ବାପା ମା ପରିବାର ପୁରା ସହଯୋଗ କରନ୍ତି । ଏହି ଶାସ୍ତ୍ରୀୟ ନୃତ୍ୟର ବହୁଳ ପ୍ରଚାର ପ୍ରସାର ସହ ଦେଶ ବିଦେଶରେ ତଥା ଗାଁ ଗହଳିରେ ନୃତ୍ୟଶିଳ୍ପୀ ମାନେ ପରିଚୟ ପାଇବା ପାଇଁ ଅହରହ ପ୍ରୟାସ କରନ୍ତି ଲିମା । ନିଜର ସମସ୍ତ ପରିଶ୍ରମ ଏବଂ ସାଧନା କୋମଳ ମତି ମାନଙ୍କ ପାଇଁ ସମର୍ପିତ ବୋଲି କୁହନ୍ତି ଲିମା । ରାଜ୍ୟର କଳା ସଂସ୍କୃତିର ପ୍ରସାର ସାଙ୍ଗକୁ ନିଜ ଅଞ୍ଚଳର ନୃତ୍ୟ ଅନୁରାଗୀ କୋମଳମତି ଛାତ୍ର ଛାତ୍ରୀଙ୍କୁ ସ୍ୱଳ୍ପ ପାରିଶ୍ରମିକରେ ଉନ୍ନତ ନୃତ୍ୟ ଶିକ୍ଷା ଲିମାଙ୍କୁ ସବୁବେଳେ ମନେ ରଖିବ ଏହା ନିଃସନ୍ଦେହ ।