• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଖାଁ ଖାଁ ପୂଜା ମଣ୍ତପ

  • ନାହିଁ ଭକ୍ତର ଭିଡ

  • କୋଭିଡ ଗାଇଡଲାଇନ୍ ମଧ୍ୟରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର: ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆରାଧନା କୋଭିଡ୍ କଟକଣା ଭିତରେ ପାଳନ ହେଉଛି । ମା’ ଦଶଭୂଜାଙ୍କର ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜା କରାଯାଉଛି ।

ଏପଟେ ଶକ୍ତିପୀଠରେ ମାଆଙ୍କ ମହାଷ୍ଟମୀ ପୂଜା ବେଳେ ପୂଜା ମଣ୍ତପରେ ମା’ଙ୍କର ସପ୍ତମୀ ପୂଜା କରାଯାଉଛି । କଟକ ଜିଲ୍ଲାର ମା ଭଟ୍ଟାରିକାଙ୍କ ପୀଠରେ ମହାଷ୍ଟମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତିରେ ନେତବନ୍ଧା ପରେ ମାଆଙ୍କୁ ଲାଗି ହେବ ଖିରି ଭୋଗ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ଆଜି ଶ୍ରଦ୍ଧାଳୁଙ୍କୁ ଦ୍ୱିଭୂଜା ଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି । ସେହିପରି ମାଆ କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ମହାକାଳୀ ଓ ସରସ୍ବତୀ ବେଶ ଦର୍ଶନ କରିଛନ୍ତି ଭକ୍ତ । ରାତିରେ ଅନୁଷ୍ଠିତ ହେବ ମାଆଙ୍କ ସନ୍ଧି ପୂଜା । ମହାଷ୍ଟମୀରେ ଶ୍ରୀମନ୍ଦିରରେ ମା ବିମଳାଙ୍କ ପ୍ରତିନିଧି କାକୁଡିଖାଇଙ୍କ ପାଖରେ କାଚ, ସିନ୍ଦୁର ଓ ବ୍ରତ ପୂଜା କରିଛନ୍ତି ଶ୍ରଦ୍ଧାଳୁ ।

ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ମିର୍ଜାପୁରରେ ଏବେବି ପାଳିତ ହେଉଛି ଶହ ଶହ ବର୍ଷର ପରମ୍ପରା । ନଦୀ କୂଳରେ କଳସ ପୂଜା ପରେ ପୂଜା ମଣ୍ଡପ ଯାଏଁ ରାସ୍ତାରେ ନୂଆ ଶାଢି ବିଛାଯାଇ ମା’ଙ୍କୁ ସ୍ବାଗତ କରାଯାଉଛି । ଗାଁର ବୁଣାକାର ପରିବାର ମାଆଙ୍କୁ ନୂଆ ଶାଢି ସମର୍ପଣ କରିଥାନ୍ତି । ସେପଟେ ନୀଳଗିରି ରାଜବାଟି ସ୍ଥିତ କନକ ଦୁର୍ଗା ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା ଡ଼ାଲାରେ ଫଳ, ଫୁଲ ନେଇ ମାଆଙ୍କ ଆରାଧନା କରିଛନ୍ତି ମହିଳା ।

ପୁରୀ ବେଳାଭୂମିରେ ବାଲୁକା କଳାରେ ମାଆଙ୍କ ଆରାଧନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସିପ ଓ ଶାମୁକାରେ ନିର୍ମାଣ କରିଛନ୍ତି ମାଆ ଦୁର୍ଗାଙ୍କ ଅପରୂପ କଳାକୃତି । ରାଜ୍ୟର ଅନେକ ସ୍ଥାନରେ ମା’ଙ୍କର ରୀତିନୀତି ନେଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭକ୍ତଙ୍କ ମନରେ ଭରି ରହିଛି ଅସନ୍ତୋଷ । କୋଭିଡକୁ ନେଇ ମା’ଙ୍କର ପୂଜା ଆଡମ୍ବରରେ ହେଉନଥିବାରୁ ରାଜ୍ୟରେ ଦୁର୍ଗା ପୂଜାର ଶୋର ଶବ୍ଦ ବି ମିଳୁନାହିଁ ।