• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଏଥର ଦୁର୍ଗାପୂଜାରେ ମଧ୍ୟ ଆୟୋଜନ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

  • ପରିବାର କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ମେଲୋଡି କଳାକାର

  • କରୋନା ମାଡ଼ରେ ପ୍ରଭାବିତ କଟକର ଅନେକ ମେଲୋଡି କଳାକାର

  • ଆଗକୁ ଅଳ୍ପ ସଂଖ୍ଯକ ଲୋକରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ଦାବି

କଟକ: ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ ।

ହେଲେ କରୋନା ପାଇଁ ଦୁଇ ବର୍ଷ ହେଲା ସମସ୍ତେ ହାତବାନ୍ଧି ବସିଛନ୍ତି । ତେବେ କାରୋନା ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ମେଲୋଡି କଳାକାର । ପୂର୍ବବର୍ଷ ଭଳି ଏଥର ମଧ୍ୟ ସରକାରଙ୍କ କଟକଣା ପାଇଁ ମେଲୋଡି କାର୍ଯ୍ୟକ୍ରମରୁ ବଞ୍ଚିତ କଳାକାର । ଫଳରେ କିଭଳି ଚଳାଇବେ ପରିବାର ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି ।

ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମାଆ ଦୁର୍ଗା । ହେଲେ ଗତବର୍ଷ ଭଳି ଏଥର ମଧ୍ୟ କାହାରି ମନରେ ସରାଗ ନାହିଁ । ବିଶେଷ କରି ଦୁର୍ଗାପୂଜା ସମୟରେ ମେଲୋଡି କଳାକାରଙ୍କ ଥାଏ ବହୁ ଡିମାଣ୍ଡ । ବିଭିନ୍ନ ପୂଜା ମଣ୍ଡପରେ ମେଲୋଡି କାର୍ଯ୍ୟକ୍ରମରୁ କଳାକାର ରୋଜଗାର କରିଥାଏ । ହେଲେ ମହାମାରୀ କରୋନା ପାଇଁ ଏବର୍ଷ ମଧ୍ୟ ମେଲୋଡି କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଫଳରେ ଚିନ୍ତାରେ କଳାକାର । ଦୀର୍ଘ ମାସ ହେଲା ପଡି ରହି ବାଦ୍ୟଯନ୍ତ୍ର ବି ନଷ୍ଟ ହେବାକୁ ବସିଲାଣି । ବାଦ୍ୟଯନ୍ତ୍ର ସବୁ ଘୋଡାଇ ରଖାଯାଇଥିବା ବେଳେ କିଛି କିଛି ଉଇ ମଧ୍ୟ ଖାଇଗଲାଣି । ମେଲୋଡି କଳାକାର ଏବେ ରୋଜଗାର ହରାଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଆଉ କିଛି କଳାକାର ଜୀବିକା ମଧ୍ୟ ବଦଳାଇ ସାରିଲେଣି । ଏଥର ମଧ୍ୟ ପୂଜାରେ ନହେଲା ନାହିଁ, ଆଗକୁ ବାହାଘର, ବ୍ରତଘର ଆଦିରେ କିଛି କିଛି କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି କଳାକାର ।

ଖାସ କରି କଟକରେ ରହୁଥିବା ମେଲୋଡି କଳାକାର ଏବଂ ଲାଇଟ୍ ସାଉଣ୍ଡ କାମ କରି ପେଟ ପୋଷୁ ଥିବା ଲୋକେ ନିରାଶ ହୋଇଛନ୍ତି । ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବା ଆଶା ରଖି ମଧ୍ୟ ନିରାଶ ହୋଇଥିବା କହିଛନ୍ତି କଳାକାର । ତେଣୁ ସୀମିତ ସଂଖ୍ୟାରେ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦିଆଯାଉ । ନହେଲେ ଆଗକୁ ଆହୁରି ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯିବେ ବୋଲି କହିଛନ୍ତି କଳାକାର ।