• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ। 

କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି। କଳା ରେଗୁଲାରରେ ପାସ୍ ହାର ୯୮.୫୮% ରହିଛି। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଛାତ୍ରଛାତ୍ରୀ, ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୯୫ ଜଣ ପରୀକ୍ଷାର୍ଥୀ ୯୦% ଉପରକୁ ନମ୍ବର ରଖିଛନ୍ତି।

ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ୍ ହାର ୮୯.୪୯% ରହିଛି। ତେବେ ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସ୍ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ୍ ହାର ୯୨.୩୪%। ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୯୬.୭% ରହିଛି। ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୩୩୧ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨% ରହିଛି।

ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ପରୀକ୍ଷାର୍ଥୀ ଜଣାଇପାରିବେ। ଅଗଷ୍ଟ ୨୩ ଭିତରେ ପ୍ରିନ୍ସିପାଲଙ୍କୁ ପ୍ରମାଣ ସହ ଅଭିଯୋଗ କରିପାରିବେ ଛାତ୍ରଛାତ୍ରୀ। ପ୍ରିନ୍ସିପାଲ ଉକ୍ତ ଅଭିଯୋଗକୁ ଇ-ମେଲ୍ ଜରିଆରେ ଅଗଷ୍ଟ ୨୪ ଭିତରେ ଜଣାଇବେ। 

କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି।  ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । ସମୁଦାୟ ୯୪୫୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍ କରିଥିଲେ । ସେଥିରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ଦ୍ୱିତୀୟ ଶ୍ରେଣୀରେ ୧୬୯୪୩, ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ । ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% । ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିଲେ । ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫% ଥିଲା।