• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗିରଫ ପରେ ଜେଲ ଗଲା ରାଧେଶ୍ୟାମ ଚଣ୍ଡି ଓରଫ ରାଧେ ।

  • ଜହ୍ଲାଦ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେ ।

  • କର୍ତ୍ତବ୍ୟରେ ଅବହେଳା ପାଇଁ କେ-ଗାଁ ଆଇଆଇସି ସସ୍‌ପେଣ୍ଡ ।

ଭୁବନେଶ୍ୱର: କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେକୁ ଗିରଫ ପରେ ଆଜି ଜେଲ୍ ପଠାଇଛି ପୋଲିସ । ଜେରାବେଳେ ରାଧେଠୁ ଅନେକ ତଥ୍ୟ ସଂଗ୍ରହ କରିଛି ପୋଲିସ୍ । ତେଣେ କର୍ତ୍ତବ୍ୟରେ ଅବହେଳା ପାଇଁ କଳାହାଣ୍ଡି ଜିଲ୍ଲା କେ.ଗାଁ ଥାନା ଆଇଆଇସିଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ମମିତା ହତ୍ୟାକାଣ୍ଡ ପଛର ସବୁଠୁ ବଡ଼ ପ୍ରମାଣ ଭାବେ ବିବେଚନା କରାଯାଉଥିବା ତାଙ୍କ ମୋବାଇଲ୍ ଫୋନ୍ ଠାବ ଲାଗି ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଖୋଦ୍ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି । ପୋଲିସ ଆଗରେ ଜେରା ବେଳେ ଗୋବିନ୍ଦ ସାହୁ ଓଗାଳି ଥିବା ତଥ୍ୟ ଆଧାରରେ ମହାଲିଙ୍ଗ ଷ୍ଟାଡିୟମ୍‌ର ଯେଉଁ ସ୍ଥାନରେ ମମିତାଙ୍କୁ ପୋଡ଼ିବା ପରେ ପୋତିଥିବା କହିଥିଲା, ସେଠି ପାଖାପାଖି ଘଣ୍ଟାଏ କାଳ କରିଥିଲେ ଛାନ୍‌ଭିନ୍ । ସାଥିରେ ଥିଲେ ସାଇଣ୍ଟିଫିକ୍ ଓ ଟେକନିକାଲ ଟିମ୍ । ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ ହୋଇଥିଲେ ବି ମୋବାଇଲ୍ ମିଳିଛି କି ନାହିଁ, ସ୍ପଷ୍ଟ ହୋଇନି ।

ସେପଟେ ମମିତା ହତ୍ୟାକାଣ୍ଡରେ ହୋଇଛି ଦ୍ୱିତୀୟ ଗିରଫଦାରୀ । ଅଭିଯୁକ୍ତ ଗୋବିନ୍ଦର ସବୁଠୁ ବଡ଼ ସହଯୋଗୀ କୁହାଯାଉଥିବା ରାଧେଶ୍ୟାମ ଚଣ୍ଡି ଓରଫ ରାଧେକୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ୍ । ଅଭିଯୁକ୍ତ ରାଧେ, ମମିତାଙ୍କ ମୃତଦେହ ପୋଡ଼ିବାରେ ଟାୟାର ଓ କାର୍ଡବୋର୍ଡ ଯୋଗାଇଥିବା ମାନିଥିଲା ଗୋବିନ୍ଦ । ତାସହ କିଲର୍ କାରକୁ ସେ ହିଁ କ୍ୟାମ୍ପସକୁ ନେଇଥିଲା । ତେବେ ମୃତଦେହ ପୋଡ଼ା ଯାଇଥିବା ଗାତକୁ ପୋତିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ଷ୍ଟାଡିୟମ୍ ଜଗୁଆଳି ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡିକୁ ଗିରଫ ନକରି ଘଟଣାର ରାଜସାକ୍ଷୀ ବନାଇଛି ପୋଲିସ୍ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କ୍ରମେ ଦାୟିତ୍ୱରେ ଅବହେଳା ପାଇଁ କଳାହାଣ୍ଡି ଜିଲ୍ଲା କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି । ମମିତାଙ୍କ ପରିବାର ଲୋକେ ପ୍ରଥମେ କେ.ଗାଁ ଥାନାକୁ ହିଁ ନିଖୋଜ ଏତଲା ଦେବାକୁ ଯାଇଥିଲେ, ହେଲେ ସେଠି ଏତଲା ନରଖି ବଲାଙ୍ଗିର ପଠାଇ ଦେଇଥିଲା ପୋଲିସ୍ ।

ସେପଟେ ରାଜ୍ୟବ୍ୟାପୀ ମାଡ଼ି ଚାଲିଛି ମମିତା ମୃତ୍ୟୁ ନିଆଁ । ମମିତାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ କରିଛି ବିଜେପି । କଣ୍ଟାବାଞ୍ଜି, ଟିଟିଲାଗଡ ଓ ପାଟଣାଗଡରେ ପଡିଛି ବନ୍ଦର ଜବରଦସ୍ତ ପ୍ରଭାବ । ହତ୍ୟାକାରୀ ଗୋବିନ୍ଦ ସାହୁ ସହ ଅତି ଘନିଷ୍ଠ ଥିବା ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି ମହିଳା ମୋର୍ଚ୍ଚା । ବଲାଙ୍ଗିର, ସମ୍ବଲପୁର, ରାଉରକେଲା, ସବୁଠି ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର ।

ସେହିପରି ମନ୍ତ୍ରୀଙ୍କୁ ଗିରଫ ଦାବିରେ ରାଉରକେଲା ଓ ଭୁବନେଶ୍ୱରରେ କଂଗ୍ରେସ କରିଛି ଗର୍ଜନ । ଏପଟେ ମମିତା ହତ୍ୟାକାଣ୍ଡ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛି ବିଜେପି । ପୋଲିସ୍ ନିଜ ବିଭାଗର ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ତେଣେ ସମ୍ବଲପୁର ଗସ୍ତରେ ଥିବା ରାଜ୍ୟ ବିଜେପି ସଭାପତି କହିଛନ୍ତି ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଅଭିଯୋଗ କରିଛନ୍ତି, ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଛନ୍ନ ହାତ ରହିଛି । ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସରକାର ଅପଦସ୍ତ ହେବେ ।

ସେପଟେ ହାଇକୋର୍ଟରେ ପହଞ୍ଚିଛି ବହୁଚର୍ଚ୍ଚିତ ମମିତା ହତ୍ୟା ମାମଲା । ଘଟଣାର ସିବିଆଇ ତଦନ୍ତ ସହ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ ।