• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓଏସ୍ଏସ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ ।

  • ଭିଜିଲାନ୍ସର ୨ ଅଫିସର ପହଞ୍ଚି ଯାଞ୍ଚ କରିଛନ୍ତି ।

  • ଅଫିସରେ କାଗଜପତ୍ର ଯାଞ୍ଚ ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ।

ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଆଜି ଭିଜିଲାନ୍ସ ଟିମ୍ ଓଏସ୍ଏସ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିଲା । OSSC ଅଫିସରେ ଭିଜିଲାନ୍ସର ୨ ଅଫିସର ପହଞ୍ଚି ଯାଞ୍ଚ କରିଛନ୍ତି । ଅଫିସରେ କାଗଜପତ୍ର ଯାଞ୍ଚ ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ଭିଜିଲାନ୍ସ ଟିମ୍ । 

OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ପ୍ରତି ଗତକାଲି ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଛି । ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି । 

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଧୀରେ ଧୀରେ ଫିଠିବାରେ ଲାଗିଛି । କିରାଣୀରୁ କୋଟିପତି ପିଏସ୍ ବନିଥିବା ବାବୁ ବିରଞ୍ଚି ଯେ, ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ତା’ ନୁହେଁ । ଶିକ୍ଷିତ ବେକାରୀଙ୍କ ଆଗରେ ସେ ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଯିଏ ଯେଉଁଠି ଦେଖିଲେ ତାଙ୍କୁ ମୁଣ୍ଡିଆ ମାରୁଥିଲେ । ବାବୁ ବିରଞ୍ଚି କୁଆଡ଼େ ଥିଲେ ଚାକିରି ବିକ୍ରିର ମାଷ୍ଟରମାଇଣ୍ଡ ।

ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍‌ମିଟ୍ କାର୍ଡ ଜବତ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ ? ତେବେ OSSC ଅଧ୍ୟକ୍ଷ କିନ୍ତୁ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏଣେ ବିରଞ୍ଚିଙ୍କ ପତ୍ନୀ ଓ ଶଢ଼ୁଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ପତ୍ନୀ ଏକ ବ୍ୟାଙ୍କର ବୀମା ଏଜେଣ୍ଟ ଭାବେ କାମ କରୁଥିଲେ ଏବଂ କମିଶନ ବାବଦକୁ ବର୍ଷକୁ ପାଉଥିଲେ ମୋଟା ଅଙ୍କର ଟଙ୍କା । ତେବେ ପତି-ପତ୍ନୀ ମିଶି କେମିତି ସାଢ଼େ ୩ କୋଟିରୁ ଅଧିକ ସଂପତ୍ତି ଅର୍ଜନ କଲେ ? OSSC ଜରିଆରେ ଚାକିରି ପାଇଥିବା କୌଣସି କର୍ମଚାରୀଙ୍କୁ ପଲିସି କରାଇଛନ୍ତି ପତ୍ନୀ ? ଏସବୁର ଉତ୍ତର ଖୋଜିବା ପାଇଁ ଭିଜିଲାନ୍ସ OSSCରୁ ଗତ ୧୦ ବର୍ଷର ତଥ୍ୟ କାଢ଼ିବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ,ବିରଞ୍ଚି ନାରାୟଣ ସାହୁଙ୍କ ବାସଭବନରେ ଚଢ଼ଉ ହୋଇଥିଲା । ତାଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେଥିମଧ୍ୟରୁ ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲା ନଗଦ ୧୨ ଲକ୍ଷ ଟଙ୍କା । ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା । ଏହାସହ ବିରଞ୍ଚଙ୍କ ଘରୁ ସୁନା ଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ ।