• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆଗ ଚୋର ଧର

  • ଚୋର ପାଇଁ ୬ ଘଂଟିଆ ଅତାବିରା ବନ୍ଦ

ଅତାବିରା(ଦୀପକ ଶର୍ମା): ଅତାବିରା ଦୁର୍ଗା ମନ୍ଦିରରେ ଚୋରି ହେବା ଘଟଣାକୁ ଦୁଇ ମାସ ପୂରଣ ହେବାପରେ ମଧ୍ୟ ଅତାବିରା ପୋଲିସର ହାତରେ ଲାଗିପାରିଲା ନାହିଁ ଅପରାଧୀ। ଏପରିକି ପ୍ରଶାସନ ତରଫରୁ ମଧ୍ୟ କୌଣସି ସୂଚନା ନଦେବା ଯୋଗୁଁ ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଛି ଦୁର୍ଗା ମନ୍ଦିର କମିଟି । ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅତାବିରାର ସମସ୍ତ ଦୋକାନ ବଜାର ଏବଂ ସରକାରୀ,ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ଯାନ ବାହାନ ଚଳାଚଳ ସ୍ୱାଭାବିକ ରହିଛି ।

ତେବେ ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଅତାବିରା ପୋଲିସ୍ ଷ୍ଟେସନ୍ ସମ୍ମୁଖରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ସକାଳ ୧୦ ଟାରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଜନ କୀର୍ତ୍ତନ ମାଧ୍ୟମରେ ଧାରଣା ଦିଆଯାଇଥିଲା । ତେବେ ଘଟଣା ସ୍ଥଳକୁ ବରଗଡ଼ ଏସଡ଼ିପିଓ ଦୀପକ ଗୋଚ୍ଛାୟତ ପହଞ୍ଚି ଆଗାମୀ ସାତ ଦିନ ମଧ୍ୟରେ ଚୋରି ଅଳଙ୍କାର ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ମାନେ ଧାରଣାରୁ ଓହରିଥିଲେ ।

ଗତ ସେପ୍ଟେମ୍ବର ୯ ତାରିଖ ରାତିରେ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରେ ମାଆଙ୍କ ବହୁମୂଲ୍ୟ ଅଳଙ୍କାର କେହି ଦୁର୍ବୃତ୍ତ ଚୋରି କରିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି । ଯାହାକୁ ନେଇ ଜନ ସାଧରଣଙ୍କ ପୋଲିସ ଉପରେ ଭରସା ତୁଟିବାରେ ଲାଗିଛି ।

ଆଗାମୀ ଦିନରେ ଯଦି ପୋଲିସ ଚୋରି ଘଟଣାର ପର୍ଦାଫାସ ନକରେ ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଅତାବିରା ବାସି ଚେତାବନୀ ଦେଇଛନ୍ତି । ସେପଟେ ସ୍ଥାନୀୟ ଲୋକ କହିଛନ୍ତି, ଆମେ ଏତେ ଦିନ ହେଲାଣି ଅଭିଯୋଗ କରି ସମୟ ଦେଲୁ କିନ୍ତୁ ଅପରାଧୀଙ୍କୁ ଧରିବାରେ ସଫଳ ହେଲା ନାହିଁ ପୋଲିସ୍‌। ତେଣୁ ଆମେ ମାନେ ବାଧ୍ୟ ହୋଇ ଥାନା ଆଗରେ ଭଜନ ଓ କୀର୍ତନ କରୁଛୁ। ଆଶା ରଖୁଛୁ କି, ଅତିଶୀଘ୍ର ଅପରାଧୀକୁ ଧରିବ ପୋଲିସ।