• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଦେଶରେ ରହୁଥିଲେ, ଶତ୍ରୁମାନଙ୍କୁ ସୁରକ୍ଷାର ଗୁପ୍ତ ତଥ୍ୟ ଦେଇ ଧରାପଡ଼ିଲେ ୫ ଅଭିଯୁକ୍ତ

  • ମୋଟା ଅଙ୍କର ଟଙ୍କା ଦେଇ ନେଉଥିଲା ଗୁପ୍ତ ତଥ୍ୟ

  • ୪ ଠିକା କର୍ମଚାରୀଙ୍କୁ ବାଲେଶ୍ୱର ପୋଲିସ ବାନ୍ଧିବା ପରେ ହଇଚଇ

  • ପୂର୍ବରୁ ଫଟୋଗ୍ରାଫର ଇଶ୍ୱର ବେହେରାଙ୍କୁ ହୋଇଥିଲା ଆଜୀବନ ଜେଲ୍

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ୪ ଜଣଙ୍କୁ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଛି ପୋଲିସ୍।

ଦେଶରେ ରହି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସାଂଘାତିକ ଅଭିଯୋଗ। ଶତ୍ରୁପକ୍ଷ ସହ ହାତ ମିଳାଇ, ଦେଶର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ଥିଲେ ଲିଙ୍କରେ। ଏଭଳି ଆଶଙ୍କା ଆଉ ଅଭିଯୋଗକୁ ନେଇ ଏବେ କମ୍ପନ ଆରମ୍ଭ ହୋଇଛି। କାରଣ ଦେଶର ସୁରକ୍ଷା ପାଇଁ ଯେଉଁଠୁ ମିଜାଇଲ୍ ଓ ଅନ୍ୟ ଯୁଦ୍ଧାସ୍ତ୍ର ପରୀକ୍ଷଣ ହୁଏ, ଶତ୍ରୁପକ୍ଷଙ୍କ ହାତକୁ ଯାଇଛି ସେହି ସ୍ଥାନର ସମ୍ବେଦନଶୀଳ ତଥ୍ୟ। ଆଉ ଏଭଳି ଦେଶଦ୍ରୋହ କାର୍ଯ୍ୟକଳାପ ସହ ଜଡ଼ିତ ୪ ସନ୍ଦିଗ୍ଧଙ୍କୁ ବାନ୍ଧିଛି ବାଲେଶ୍ୱର ପୋଲିସ। ସେମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍। ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି। ଯେଉଁମାନେ ITR ପରିସରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ବିଦେଶୀ ସଂସ୍ଥା ସହ ଲିଙ୍କରେ ରହି ପ୍ରଘଟ କରୁଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏ ସମ୍ପର୍କିତ ଠୋସ୍ ପ୍ରମାଣ ପାଇବା ପରେ ଗତ ୩ଦିନ ଧରି ଜାଲ ବିଛାଇଥିବା ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ ଆଜି ସକାଳୁ ସମସ୍ତଙ୍କୁ ଘରୁ ଉଠାଇନେବା ସହ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ହେଉଛି ମାଷ୍ଟରମାଇଣ୍ଡ। ଯିଏ ୩ ନମ୍ବର ଲଞ୍ଚ ପ୍ୟାଡର AC ଅପରେଟର୍ ଥିଲା । ଅନ୍ୟ ୩ ଜଣ ମଧ୍ୟ ଲଞ୍ଚପ୍ୟାଡରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ବସନ୍ତ ପାଖକୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ । ସେହି ଫୋନ୍ କଲ୍ ମାଧ୍ୟମରେ ଏହି ୪ ଜଣ ଯୋଗାଯୋଗରେ ଥିଲେ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବିଦେଶୀ ସଂସ୍ଥା ସହ । ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ । ଶେଷରେ ଗୁଇନ୍ଦା ତଥ୍ୟ ଆଧାରରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍ । ଏହାପରେ ଗତ ୩ ଦିନ ଧରି ତନାଘନା କରି ଶେଷରେ ଆଜି ଏହି ୪ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କଠୁ ସତ ଉଗାଳୁଛି।

ପାକିସ୍ଥାନ ଗୁଇନ୍ଦା ସଂସ୍ଥା ISIକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ନୂଆ ନୁହେଁ । ୨୦୧୫ରେ ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ । ଦେଶଦ୍ରୋହ ମାମଲାରେ ଈଶ୍ୱର ଜେଲରେ କାଟୁଛି ଆଜୀବନ ସଜା। ୬ ବର୍ଷ ପରେ ପୁଣି ଥରେ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ ଆଶଙ୍କାରେ ୪ ଠିକା କର୍ମଚାରୀଙ୍କୁ ଧରିବା ପରେ ଏମାନେ ବାସ୍ତବରେ କାହା ପାଇଁ ସାଜିଥିଲେ ଗୁପ୍ତଚର ? କେଉଁ କେଉଁ ତଥ୍ୟ ଏମାନେ ପ୍ରଘଟ କରିଛନ୍ତି ? ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ? କେତେଦିନ ଧରି ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇ ଚାଲୁଥିଲେ ଶତ୍ରୁପକ୍ଷଙ୍କୁ ? ଏମିତି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।