• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପ୍ରାକୃତିକ ନାଳ ପୋତି ପ୍ଲଟିଂ ଏବଂ ବେ‌ଆଇନ ନିର୍ମାଣ ଅଭିଯୋଗ

  • ବର୍ଷା ହେଲେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ଲୋକ

  • ଅଭିଯୋଗର ଅନୁଧ୍ୟାନ ପରେ ହେବ କାର୍ଯ୍ୟାନୁଷ୍ଠାନ: ତହସିଲଦାର

ସମ୍ବଲପୁର(ସଂଜୟ ଜେନା): ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍ । ସମ୍ବଲପୁରରେ ଥିବା ପ୍ରାକୃତିକ ନାଳ ପୋତାଯାଇ ଚଳାଇଛନ୍ତି ବେଆଇନ ନିର୍ମାଣ ଏବଂ ପ୍ଲଟିଂ କାମ । ପ୍ରଶାସନର ନାକ ତଳେ ଏ ସବୁ ଚାଲିଥିଲେ ମଧ୍ୟ ଚୁପ୍ ବସିଛନ୍ତି ସରକାରୀ ବାବୁ । ସମ୍ବଲପୁର ମହାନଗର ନିଗମ ୨୮ ନମ୍ବର ଓ୍ୱାର୍ଡ ନୂଆପଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠି କିଏ ପ୍ଲଟିଂ ପାଇଁ ନାଳର ଗତିପଥ ବଦଳାଇ ଦେଇଛି ତ ଆଉ କିଏ ବିଲ୍ଡିଂକୁ ରାସ୍ତା ନିର୍ମାଣ କରିବା ପାଇଁ ନାଳ ପୋତି ଦେଇଛି । ସହରର ବିଭିନ୍ନ ନାଳ ନର୍ଦ୍ଦମା ପୋତା ଯାଇଛି । ଏହାସହ ଛିଡ଼ା ହୋଇଛି ବଡ଼ ବଡ଼ ବିଲ୍ଡିଂ ।

କଂକ୍ରିଟ ଡ୍ରେନ୍ର ଭ୍ରମ ସୃଷ୍ଟି କରୁଥିବା ଏହି ନାଳ ଦିନେ ପ୍ରାକୃତିକ ଜଳ ଉତ୍ସ ଥିଲା । ଏହି ନାଳ ଦେଇ ବର୍ଷା ପାଣି ମହାନଦୀରେ ଯାଇ ମିଶିଥାଏ । ହେଲେ ବେଆଇନ ଜବର ଦଖଲ ଯୋଗୁଁ ଏବେ ଏହା ଶଙ୍କୁଚିତ ହୋଇପଡ଼ିଛି । ବର୍ଷା ହେଲେ ସେଠାରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରାକୃତିକ ନାଳଟି ଜଳ ସମ୍ପଦ ବିଭାଗ ଅଧିନରେ ରହିଥିବାରୁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ସଲାସୁତୁରାରେ ପ୍ଲଟିଂ କାମ ଚାଲିଥିବା ନେଇ ଅଭିଯୋଗ କରାଯାଇଛି ।

ଘଟଣାର ସ୍ଥିତି ଅନୁଧ୍ୟାନ ପରେ ଅନିୟମିତତା ହୋଇଥିବା ପ୍ରାଶାସନିକ ଅଧିକାରୀମାନେ ସ୍ୱୀକାର କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏନେଇ ସ୍ଥାନୀୟ ତହସିଲଦାର କହିଛନ୍ତି, ପୁଣିଥରେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ ପରେ ବେଆଇନ ନିର୍ମାଣ ଭଙ୍ଗାଯିବା ତଥା ଅନ୍ୟ କୌଣସି ପଦକ୍ଷେପ ନିଆଯିବ ।