• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପିପିଲିରୁ ଶିଶୁ ନିର୍ଯାତନାର ସାଂଘାତିକ କାହାଣୀ

  • ସାବତ ମାସହ ମିଶି ୭ ବର୍ଷର ଝିଅ ପ୍ରତି ନିଷ୍ଠୁର ବାପର ଜଘନ୍ୟକାଣ୍ଡ

  • ଗରମ ପାଣି ଢାଳିବା ସହ ଶିକୁଳିରେ ବାନ୍ଧି ଅକଥନୀୟ ନିର୍ଯାତନା ଅଭିଯୋଗ

  • ସାମାଜିକ କର୍ମୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କଲା ଜନ୍ମକଲା ମା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି। ଦାମ୍ପତ୍ୟ କଳିରୁ ବିଚ୍ଛେଦ ହେବା ପରେ ପ୍ରଥମ ପତ୍ନୀର ଔରସରୁ ଜନ୍ମିତ ୭ ବର୍ଷର ଶିଶୁକନ୍ୟାକୁ ଅଖିଆ ଅପିଆ ରଖି ମରଣମୁହଁକୁ ଠେଲି ଦେବାକୁ ସାବତ ମାସହ ମିଶି ଉଦ୍ୟମ କରିଛି ବାପା । ଶେଷରେ ପିଲାଟିର ମା ଶିଶୁକୁ ଉଦ୍ଧାର କରିବା ସହ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ସାରା ଇଲାକାରେ।

ଜୀର୍ଣ୍ଣଶୀର୍ଣ୍ଣ ଶରୀର।ଗୋଟି ଗୋଟି କରି ଗଣି ହେଉଛି ପଞ୍ଜରା ହାଡ଼। ଆପାଦ ମସ୍ତକ ଅପପୁଷ୍ଟିର ଶିକାର ଭଳି ଦେଖାଦେଉଛି। ହେଲେ ଦାରିଦ୍ର୍ୟ ପାଇଁ ନୁହେଁ ବରଂ ବାପାର ଦଣ୍ଡ ପାଇଁ ଏହି କୁନି ପିଲାଟିର ଏବେ ଏଭଳି ଅବସ୍ଥା ହୋଇଛି। ଜାଣିଲେ ଦେହ ଶୀତେଇ ଉଠିବ, ଲୋମ ଟାଙ୍କୁରି ଉଠିବ। ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲ। ଗରମ ପାଣିରେ ବୁଡାଇ ଦିଆଯାଉଥିଲା । କେତେବେଳେ ନିର୍ଘାତ ମାଡ଼ ପଟୁଥିଲା ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ପଖା। ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା।ଦୋଷ ବି କିଛି ନୁହଁ। ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁକନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍‌ୱାନା ପରୱିନ୍‌ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

୨୦୧୩ରେ ବିଲାଲଙ୍କ ବିବାହ କରିଥିଲେ ରିଜୱାନା। ବିବାହର କିଛି ବର୍ଷ ପରେ ମନୋମାଳିନ୍ୟ ଦେଖାଦେଇଥିଲା ଏବଂ ୨୦୨୦ରେ ଦୁଇ ପରିବାରର ସହମତିରେ ହୋଇଥିଲା ବିବାହ ବିଛେଦ। ଆଉ ଝିଅ ରହୁଥିଲା ବିଲାଲଙ୍କ ପାଖରେ। ତାରି ଭିତରେ ଦ୍ୱିତୀୟ ବିବାହ କରିସାରିଥିଲେ ବିଲାଲ୍। ହେଲେ ସାବତ ମା ଏବଂ ବାପା ବିଲାଲ୍ ପାଖରେ ରହିବାକୁ ଚାହୁଁନଥିଲା ଟିକି ଝିଅଟି। କାରଣ ସାବତ ମା ସହ ମିଶି ଶିଶୁକୁ ମାଡ଼ ମାରିବା ସହ ଭଲ ଭାବେ ଖାଇବା ଦେଉନଥିଲେ। ଏପରିକି ସ୍କୁଲ ବି ଛାଡୁନଥିଲେ ଏବଂ ଶିକୁଳିରେ ବାନ୍ଧି ରଖୁଥିଲେ। ଝିଅର ଏଭଳି ଅବସ୍ଥା ହୋଇଥିବା ଖବର ପାଇ ସାମାଜିକ କର୍ମୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ ରିଜୱାନା। ତେବେ ଅଭିଯୁକ୍ତ ବିଲାଲ୍ ନିର୍ଯାତନା କଥାକୁ ଖଣ୍ଡନ କରିବା ସହ ତାମାକୁ ଝୁରି ଝୁରି ଝିଅର ଏଭଳି ଅବସ୍ଥା ହୋଇଥିବା କହିଛନ୍ତି। ତାସହ କହିଛନ୍ତି, ଝିଅ ଏଣିକି ମା ପାଖରେ ରହିବ ଏବଂ ଚିକିତ୍ସା ପାଇଁ ସେ ୩୦ ହଜାର ଟଙ୍କା ଦେଇଛନ୍ତି । ତେବେ ଏନେଇ ଥାନାରେ ଏଯାଏଁ କୌଣସି ଅଭିଯୋଗ ହୋଇନଥିବାବେଳେ ପ୍ରଥମେ ଚିକିତ୍ସା ପରେ ପୋଲିସର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଶିଶୁଟିର ମା।