• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମାୟାବିନୀର ଫୋନ୍ ହ୍ୟାକିଂ ଖେଳ ।

  • ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍‌ର ଫାଶ ।

  • ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିଲା ରହସ୍ୟମୟୀ ।

  • ସେ ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।

ଭୁବନେଶ୍ୱର: ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍‌ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ । ମିଳିଥିବା ସୂଚନା ଅନୁଯାୟୀ, ରହସ୍ୟମୟୀ ୮ ମାସ ଧରି ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ତା ଲିଙ୍କରେ ଥିବା ସମସ୍ତଙ୍କ ସହ ସଂପର୍କରେ ରହୁଥିଲା । ଡାଟା ବି ଚୋରି କରୁଥିଲା । ଯାହାର କେହି କିଛି ବି ଟେର୍ ପାଉ ନଥିଲେ । ଏପରିକି ଅଭିଯୁକ୍ତ ସଚିନ୍ ଜରିଆରେ ବର୍ଷାଧିକ କାଳ ଧରି ITR ନିର୍ଦ୍ଦେଶକଙ୍କ ଗତିବିଧିକୁ ପୂରା ଟ୍ରାକ୍ କରୁଥିଲା । ଟିକିନିଖି ଖବର ରଖୁଥିଲା ।

କେବଳ ସେତିକି ନୁହେଁ ମାୟାବିନୀଙ୍କ ସହ କଥା ହେବାକୁ କିଛି ଅଭିଯୁକ୍ତ ନୂଆ ସିମ୍ ବି କିଣିଥିବାର ତଥ୍ୟ ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି ଏସବୁକୁ ବିଦେଶରୁ ହିଁ ପରିଚାଳିତ କରାଯାଉଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ହାତରେ ତଥ୍ୟ ଲାଗିଥିବା ସୂଚନା ମିଳିଛି । ତେବେ ନିର୍ଦ୍ଦିଷ୍ଟ କେଉଁ ଦେଶରୁ ରହି ହନିଟ୍ରାପ୍‌ର ଏ ଫାଶ ପଡ଼ିଥିଲା ? କିଏ ସେହି ମାୟାବିନୀ ? ତା ହାତରେ କେଉଁ କେଉଁ ତଥ୍ୟ ଲାଗିଛି ? ସେସବୁ ତଥ୍ୟକୁ ସେ କାହାକୁ ଦେଇଛି ? କେଉଁ ଦେଶକୁ ଲିକ୍ ହୋଇଛି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ।

UKର ଟେଲିଫୋନ୍ ନମ୍ବର ବ୍ୟବହାର କରି ଭିନ୍ନ ଭିନ୍ନ ଆଇପି ଆକାଉଣ୍ଟ ଏବଂ ଛଦ୍ମ ପରିଚୟ ସାହାରାରେ ଅଭିଯୁକ୍ତଙ୍କ ସହ ଦୀର୍ଘଦିନ ଧରି ସଂପର୍କରେ ଥିଲା ରହସ୍ୟମୟୀ । ତେବେ UK ନମ୍ବର ବ୍ୟବହାର ପଛର ରହସ୍ୟ କଣ ? ସାଇବର ଏକ୍ସପର୍ଟଙ୍କ ମତରେ ତଦନ୍ତକାରୀ ଅଧିକାରୀଙ୍କୁ ଭୂଆଁ ବୁଲାଇବା ପାଇଁ ଜଣେ ଅତି ସହଜରେ ଏଇଠି ଥାଇ ବି UK ନମ୍ବର ହାସଲ କରିପାରିବ । ତେଣୁ ଏଭଳି ସ୍ଥିତିରେ ସଂପୃକ୍ତ ମହିଳାଙ୍କ ପାଖରେ କିଭଳି ପହଞ୍ଚିବ କ୍ରାଇମ୍‌ବ୍ରାଞ୍ଚ ପାଇଁ ତାହା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଏବେ ଜେଲ୍‌ରେ ସମସ୍ତ ୫ ଅଭିଯୁକ୍ତ । ତେବେ ଆଗକୁ ତଦନ୍ତର ଗତି କେଉଁଆଡ଼େ ଯିବ ? ଦୁବାଇରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାର ପ୍ରମାଣ ମିଳିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ କେଉଁ କେଉଁ ଉତ୍ସରୁ ଟଙ୍କା ଆସିଛି ? ସେସବୁର ଖୋଳତାଡ଼ ପାଇଁ କ୍ରାଇମ୍‌ବ୍ରାଞ୍ଚ ପୁନର୍ବାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।