• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • DRDO ତଥ୍ୟ ଲିକ୍ ମାମଲାରେ ଆଉ ଏକ ହନିଟ୍ରାପ୍ର ଖୁଲାସା ।

  • ସୋସିଆଲ୍ ମିଡିଆରେ ଅଭିଯୁକ୍ତଙ୍କ ସହ ଟଙ୍କା କାରବାର କରିଛନ୍ତି ରହସ୍ୟମୟୀ ।

  • ଅପରେସନ୍‌ରେ ମୁମ୍ବାଇର ୨ ଯୁବକଙ୍କ ସଂପୃକ୍ତି, ତଥ୍ୟ ଖୋଜିବାକୁ ଯିବ କ୍ରାଇମବ୍ରାଞ୍ଚ ।

ଭୁବନେଶ୍ୱର (ରିପୋର୍ଟ-ଆଲୋକ ମହାନ୍ତି): ହନିଟ୍ରାପ୍‌ର ମାୟାଜାଲରେ ଛନ୍ଦି ହୋଇଥିବା ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଅଭିଯୁକ୍ତଙ୍କ ଯୁବତୀ ଲିଙ୍କ୍‌ରେ ନୂଆ ଟ୍ୱିଷ୍ଟ । ପୁଣି ଜଣେ ଯୁବତୀଙ୍କ ସହ ଟଙ୍କା କାରବାରର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ଏଥର ଲିଙ୍କ୍ ଆସିଛି ମାୟାନଗରୀ ମୁମ୍ବାଇରୁ । ସୋସିଆଲ୍ ମିଡିଆରୁ ପରିଚୟ, ପରେ ସଂପର୍କରେ ଅନ୍ତରଙ୍ଗତା ଆଣି ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ସହ ଟଙ୍କା କାରବାର କରିଛନ୍ତି ରହସ୍ୟମୟୀ ଯୁବତୀ । 

ଯାହାର ଆଜି ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କହିଛନ୍ତି, ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ସହ ରହସ୍ୟମୟୀ ଯୁବତୀ କରିଛନ୍ତି ଟଙ୍କା କାରବାର । ଦୁବାଇର ଯୁବତୀ ଜଣକ ନିଜକୁ ବାଲେଶ୍ୱର ଅଞ୍ଚଳର ବୋଲି କହି ପ୍ରଥମେ ସୋସିଆଲ୍ ମିଡିଆରେ ପରିଚୟ, ପରେ ଦୋସ୍ତି କରି ଅନ୍ତରଙ୍ଗତା ବଢ଼ିବା ପରେ ଜଣେ ଅଭିଯୁକ୍ତକୁ ମାଗିଥିଲେ ଟଙ୍କା । ମୁମ୍ବାଇର ୨ ଯୁବକଙ୍କ ୨ଟି ଆକାଉଣ୍ଟ ନମ୍ବର ଦେଇ ମାଗିଥିଲେ ୪୦ ହଜାର ଟଙ୍କା । ସେହି ଅନୁସାରେ ଅଭିଯୁକ୍ତ ଜଣକ ୨୦୨୧ ଏପ୍ରିିଲ୍ ୧୮ରେ ୨ଟି କିସ୍ତିରେ ଅନଲାଇନ୍ ପେମେଣ୍ଟ କରିଥିଲା । ଆକ୍ସିସ ଓ ଇଣ୍ଡିଆନ ବ୍ୟାଙ୍କରେ ପ୍ରଥମେ ୩୦ ଓ ପରେ ୧୦ ହଜାର ପଠାଇଥିଲା ଅଭିଯୁକ୍ତ । କିନ୍ତୁ ଏପ୍ରିଲ୍ ୧୯ରେ ସେହି ୪୦ ହଜାର ଟଙ୍କା କ୍ୟାସ୍ ଆକାରରେ ଜମା ହୋଇଥିଲା ଅଭିଯୁକ୍ତର ଚାନ୍ଦିପୁର ସ୍ଥିତ SBI ଆକାଉଣ୍ଟରେ । ଅର୍ଥାତ ଅନଲାଇନ୍‌ରେ ଟଙ୍କା ନେଲେ, କ୍ୟାସ୍ ଆକାରରେ ଡିପୋଜିଟ୍ କଲେ । ଯାହାକୁ ନେଇ ସନ୍ଦେହ ଘନୀଭୂତ ହେଉଥିବାବେଳେ ଟଙ୍କା କାରବାର ପଛର ରହସ୍ୟ କଣ ?

ହନିଟ୍ରାପର ଜାଲ ବିଛାଇ ପ୍ରଥମେ ଚର୍ଚ୍ଚାକୁ ଆସିଥିବା ଇୟେ ସେହି ଯୁବତୀ ନା ଆଉ ଜଣେ ? ଯେଉଁ ୨ ଯୁବକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଥିଲା, ସେହି ଯୁବକମାନେ ସ୍ଲିପରସେଲ୍ ଭାବେ କାମ କରୁନାହାଁନ୍ତି ତ ? ଅଭିଯୁକ୍ତର ଆକାଉଣ୍ଟକୁ କେଉଁଠୁ ଏବଂ କିଏ ଡିପୋଜିଟ୍ କରିଥିଲେ ଟଙ୍କା ? ଅଭିଯୁକ୍ତଙ୍କ ସହ ବିଶ୍ୱାସ ଜନ୍ମାଇ ITRର ଗୁପ୍ତତଥ୍ୟ ଆଦାୟ ଉଦ୍ଦେଶ୍ୟରେ ହୋଇଥିଲା କି ଏଭଳି ଟଙ୍କା ଦେଣନେଣ ? ଏଭଳି ଏକାଧିକ ପ୍ରଶ୍ନ ଉଠୁଥିବାବେଳେ ଏସବୁ ଦିଗକୁ ଧରି ଖୋଳତାଡ଼ ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚ ଟିମ୍ ।

DRDO ହାନିଟ୍ରାପ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କ ଅକାଉଣ୍ଟକୁ ଆସିଥିଲା ୩୮ ହଜାର ଟଙ୍କା । ଯେଉଁଥିରୁ ୨୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ଏବେ ଦୁବାଇରେ ରହି ମୁମ୍ବାଇର ୨ ଯୁବକଙ୍କ ଆକାଉଣ୍ଟ ମାଧ୍ୟମରେ ରହସ୍ୟମୟୀ ଯୁବତୀଙ୍କ ଟଙ୍କା କାରବାରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏଭଳି ଅନ୍ତର୍ଜାତୀୟ ଲିଙ୍କରେ ଖୁଲାସା ପାଇଁ କୌଣସି ଜାତୀୟ ସ୍ତରର ସଂସ୍ଥାକୁ ତଦନ୍ତଭାର ଦିଆଗଲେ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ITER ତଥ୍ୟ ଲିକ୍ ମାମଲାର ଖୁଲାସା ହୋଇପାରିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।