• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼। ଦୁଇ ଦଫାରେ ପୋଲିସ୍ ଓ କ୍ରାଇମବ୍ରାଞ୍ଚର ଦୁଇ ଦୁଇଥର ଜେରା ପରେ ଆଜି ହେଲା ଅଭିଯୁକ୍ତ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ। ଭୁବନେଶ୍ୱର ଫୋରେନ୍ସିକ୍ ଲାବ୍‌ରେ ମିଛ ଧରା ପରୀକ୍ଷା। ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଗାଡ଼ି ଫୋରେନ୍ସିକ୍ ଲାବ୍‌ରୁ ଆଜି ବାହାରିବା ବେଳର ଦୃଶ୍ୟ। କାହା ପାଖରେ କିଛି ଟେର୍ ନଥିଲା, ଗଣମାଧ୍ୟମ ପାଖରେ ଟିକେ ବି ସୂଚନା ନଥିଲା। କୁହାଯାଉଛି ଡିଏଫ୍ଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଫୋରେନ୍ସିକ୍ ଲାବ୍‌କୁ ଅଣାଯାଇ ଉଭୟଙ୍କ ଲାଇ ଡିଟେକ୍ସନ୍ ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା।

ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ। ପାଖାପାଖି ୩ ଘଣ୍ଟାର ପରୀକ୍ଷା କୁହାଯାଉଛି, ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ, ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ। ଲାଇଡିଟେକ୍ସନ୍ ଅଧିକାରୀ ରୋଷେୟା ମନ୍ମଥ କୁମ୍ଭଙ୍କୁ ବି ୫୦ରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରିର କେନ୍ଦ୍ରରେ ଥିବା ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇ ଡିଟେକ୍ସନ୍ ଟେଷ୍ଟ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି।

ଯୁବ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ? ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ଲାଗିବା ସତ୍ତ୍ୱେ ମୃତ୍ୟୁର ଦୁଇ ମାସ ପରେ ବି ଏଇ ବଡ଼ ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟରେ। ୩୪ ଦିନର ପୋଲିସ୍ ଓ  ୩୪ ଦିନର କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବି ଫଳ ଶୂନ୍।

ହେଲେ ଏହାଭିତରେ ଗତ ଦୁଇ ତାରିଖରେ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା ଏବଂ ଏହାର ଦୁଇ ସପ୍ତାହ ପରେ ଆଜି ହଠାତ୍ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ୍ ପୁଣି ମାମଲାକୁ ଚର୍ଚ୍ଚାକୁ ଆଣିଛି। ତେବେ ସୌମ୍ୟଙ୍କ ପରିବାର କିନ୍ତୁ କହିଛନ୍ତି, ଅଭିଯୁକ୍ତଙ୍କୁ ଖସାଇବାର ବାଟ ତିଆରି ହେଉଛି। ସରକାର କି କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ନ୍ୟାୟ ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ। ସେପଟେ ଏତେ ଦିନ ପରେ ଲାଇଡିଟେକ୍ସନ୍ ଟେଷ୍ଟକୁ ଫାର୍ସ ବୋଲି ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି।

ତେବେ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ସଂପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ମୁହଁ ଖୋଲି ନଥିଲା ବେଳେ, ଆଗକୁ ବିଦ୍ୟାଭାରତୀଙ୍କର ଲାଇଡିଟେକ୍ସନ୍ ଟେଷ୍ଟ ହେଉଛି ନା ନାହିଁ? ଆଜିର ମିଛ ଧରା ଟେଷ୍ଟରୁ ମାମଲାକୁ ଆଗକୁ ନେବାକୁ କ୍ରାଇମବ୍ରାଞ୍ଚକୁ କେଉଁ ଖିଅ ମିଳୁଛି? କେବେ ରହସ୍ୟ ଉପରୁ ପର୍ଦ୍ଦା ହଟୁଛି? ଏବେ ତାକୁ ଅପେକ୍ଷା।

ରିପୋର୍ଟ: ନିରଞ୍ଜନ ବେହେରା, ଆଲୋକ ମହାନ୍ତି